ଆଟ କିସମ ଜମିରେ ଧାନ ଚାଷ କେଳେଙ୍କାରୀ, ସୁବର୍ଣ୍ଣପୁରର ୬ ପେକ୍ସର ୫ ସଂପାଦକ ନିଲମ୍ବିତ

ସୋନପୁର : ଆଟ କିସମରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀ ପଞ୍ଜୀକରଣ କରିବା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ୬ଟି ପେକ୍ସର ୫ଜଣ ସଂପାଦକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସୋନପୁର ଏଆର୍‌ସିଏସ୍‌ ଅଧୀନରେ ଥିବା ମହୁଲେ ଓ ଖାରୀ ପେକ୍ସର ସଂପାଦକ ରବି ମିଶ୍ର, ବୈଦ୍ୟନାଥ ପେକ୍ସର ସଂପାଦକ ଦିଲ୍ଲୀପ ସୁନା, ବୀରମହାରାଜପୁର ଏଆର୍‌ସିଏସ ଅଧୀନରେ ଥିବା ମୁର୍ଷୁଣ୍ଡି ପେକ୍ସ ସଂପାଦକ ପ୍ରଭାତ ସାହୁ, ଜଟେସିଂହା ପେକ୍ସ ସଂପାଦକ ଘନଶ୍ୟାମ ପ୍ରଧାନ, ଉଲୁଣ୍ଡା ପେକ୍ସ୍‌ ସଂପାଦକ ରାମକୃଷ୍ଣ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି।

ଏହି ସଂପାଦଙ୍କୁ ସମ୍ପୃକ୍ତ ପ୍ରାଥମିକ କୃଷି ସେବା ସମବାୟ ସମିତିର ପ୍ରଶାସକ ନିଲମ୍ବିତ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଚାଷ ସମୟରେ କେତେକ ଆଟ କିସମ ଜମିରେ ଧାନ ଚାଷ କରାଯାଇ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାର୍ଡ୍‌ ଏସମ୍ପର୍କରେ କ୍ଷେତ୍ରୀୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଜିଲ୍ଲାର ବିଭିନ୍ନ ତହସିଲ୍‌ର ୪୧ ଜଣ ଚାଷୀଙ୍କର ୭୧ଟି ଆଟ କିସମ ପ୍ଲଟ୍‌ ତଦନ୍ତ କରିଥିଲେ। ଚାଷ ହୋଇନଥିବା ଜମିରେ ଚାଷ ହୋଇଥିବା ଦର୍ଶାଇ ମିଥ୍ୟା ପଞ୍ଜିକୃତ କରିଥିବାରୁ ଯୋଗାଣ ବିଭାଗ ଏବଂ ପେକ୍ସ କର୍ମଚାରୀଙ୍କୁ ଦାୟୀ କରିଥିଲେ।

ଉଲୁଣ୍ଡା, ମୁର୍ଷୁଣ୍ଡି, ଜଟେସିଙ୍ଗା, ଖାରୀ, ମହୁଲେ, ବୈଦ୍ୟନାଥ ପେକ୍ସ ସଂପାଦକ ସରାକରଙ୍କ ନିର୍ଦ୍ଦେଶନାମା ଅନୁପାଳନନ କରି ତଥା କ୍ଷେତ୍ରୀୟ ତଦନ୍ତ ନକରି ମଧ୍ୟସ୍ଥି ଜରିଆରେ ବେଆଇନ୍‌ ଭାବରେ ପିପାସରେ ପଞ୍ଜିକୃତ କରିଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ଏହାକୁ ଆଧାର କରି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସମ୍ପୃକ୍ତ ପେକ୍ସ ସଂପାଦକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ସୁପାରିସ୍‌ କରିଥିଲା। ଏହାସହ ୭ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବାକୁ ରେଜିଷ୍ଟାର କୋପରେଟିଭ୍‌ ସୋସାଇଟିଙ୍କୁ ଜଣାଇଥିଲା। ପରେ ରେଜିଷ୍ଟାର କୋପରେଟିଭ୍‌ ସୋସାଇଟି ଡେପୁଟି ରେଜିଷ୍ଟାର କୋପରେଟିଭ୍‌ ସୋସାଇଟି ବଲାଙ୍ଗୀର ଡିଭିଜନ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ୍‌କୁ ଜଣାଇଥିଲେ। ଆଟ କିସମରେ ଧାନ ଚାଷ ହୋଇଥିବା ଦର୍ଶାଯିବା ଘଟଣାରେ ପୂର୍ବରୁ ଜିଲ୍ଲାର ୩ଜଣ ରାଜସ୍ବ ନିରୀକ୍ଷକ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ଚାଷୀ ପଞ୍ଜୀକରଣ ସମ୍ପର୍କିତ ରାଜସ୍ବ ବିଭାଗର ତଦନ୍ତ ରିପୋର୍ଟ ପରେ ଯୋଗାଣ ନିଗମ ପେକ୍ସ ଓ ଏସ୍‌ଏଚ୍‌ଜି ଜରିଆରେ ଚାଷୀଙ୍କଠାରୁ ଧାନ କ୍ରୟ କରିଥାଏ। ଏଣୁ ଆଟ କିସମରେ ଧାନ ଚାଷ ହୋଇଥିବା ଦର୍ଶାଯାଇ ଚାଷୀ ପଞ୍ଜୀକରଣରେ ରାଜସ୍ବ ବିଭାଗ ମଧ୍ୟ ସମ ପରିମାଣରେ ଦାୟୀ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର