ସୁବର୍ଣ୍ଣପୁର ଜିଲ୍ଲାରେ ପାଣି ପଞ୍ଚାୟତ ସଫଳତା ନେଇ ପ୍ରଶ୍ନବାଚୀ:ନିୟନ୍ତ୍ରଣ କରୁଛନ୍ତି ରାଜନେତା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପାଣି ପଂଚାୟତ ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଠା ଜଳସେଚନ ବିଭାଗ ଅଧୀନରେ ୧ ହଜାର ୬୯ଟି ପାଣି ପଂଚାୟତ ରହିଥିବା ବେଳେ ତନ୍ମଧ୍ୟରୁ ସୋନପୁର ବ୍ଲକରେ ୨୧୭ଟି ପାଣି ପଂଚାୟତ ଗଠନ କରାଯାଇ ୫ ହଜାର ୪୨୪ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି। ସେହିପରି ଉଲୁଣ୍ଡା ବ୍ଲକରେ ୧୬୭ ପାଣି ପଂଚାୟତ ରହିଥିବା ବେଳେ ୪ ହଜାର ୪୪୮ ହେକ୍ଟର ଚାଷ ଜମି, ବିନିକା ବ୍ଲକରେ ୨୪୦ଟି ପାଣି ପଂଚାୟତ ଗଠନ କରାଯାଇ ୫ ହଜାର ୪୦୪ ହେକ୍ଟର ଚାଷ ଜମି, ତରଭା ବ୍ଲକରେ ୧୪୧ଟି ପାଣି ପଂଚାୟତ ଗଠନ କରାଯାଇ ୩ ହଜାର ୨୯୨ ହେକ୍ଟର ଚାଷ ଜମି, ଡୁଙ୍ଗୁରିପାଲି ବ୍ଲକରେ ୧୧୯ଟି ପାଣି ପଂଚାୟତ ଗଠନ କରାଯାଇ ୨ ହଜାର ୬୧୨ ହେକ୍ଟର ଚାଷ ଜମି, ବୀରମହାରାଜପୁର ବ୍ଲକରେ ୧୮୫ଟି ପାଣି ପଂଚାୟତ ଗଠନ କରାଯାଇ ୬ ହଜାର ୧୬୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇଛି। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୬ଟି ପାଣି ପଂଚାୟତ ରହିଛି ଏବଂ ଅଙ୍ଗ ଜଳସେଚନ ବିଭାଗ ଅଧୀନରେ ୧ଟି ପାଣି ପଂଚାୟତ ରହିଛି। ତେବେ ବାସ୍ତବ କ୍ଷେତ୍ରରେ ଏହି ପାଣି ପଂଚାୟତଗୁଡ଼ିକ ଯେତିକ କାର୍ଯ୍ୟ କରିବା କଥା କରୁ ନଥିବା ଅଭିଯୋଗ ହୋଇଛି।

ଅଙ୍ଗ ଜଳସେଚନ ବିଭାଗ ଅଧୀନରେ ଥିବା ସୋନପୁର ବ୍ଲକର ରାୟପାଲିଠାରେ ଥିବା ପାଣି ପଂଚାୟତ କର୍ମକର୍ତ୍ତା ନିର୍ବାଚନକୁ ନେଇ ୨୦୧୨ରୁ ବିବାଦ ଦେଖାଦେଇଛି। ଏହି ବିବାଦ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିବାରୁ ରହିତାଦେଶ ଯୋଗୁଁ ଏହି ପାଣି ପଂଚାୟତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଉଠା ଜଳସେଚନ ବିଭାଗ ଅଧୀନରେ ପାଣି ପଂଚାୟତଗୁଡ଼ିକ ଗଠନ ପରେ କେବଳ ବୃହତର ମରାମତିକୁ ଛାଡ଼ି ଦେଲେ ଅନ୍ୟ ଅନୁଦାନ ଆସୁ ନାହିଁ। ଯାହାକୁ ନେଇ ପାଣି ପଂଚାୟତର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଏହି ବିଭାଗ ଅଧୀନରେ ଥିବା ୩୮ଟି ପାଣି ପଂଚାୟତ ବିଭିନ୍ନ କାରଣ ପାଇଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ୧ ହଜାର ୩୨୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇ ପାରି ନାହିଁ। ବରପାଲି କେନାଲ ଡିଭିଜନ ଅଧୀନରେ ଜିଲ୍ଲାରେ ୮୭ଟି ପାଣି ପଂଚାୟତ ରହିଥିବା ବେଳେ ୨୦୧୬ରେ ୨୯ଟି ପାଣି ପଂଚାୟତ ପାଇଁ ୧୪ ଲକ୍ଷ ୩୩ ହଜାର ଟଙ୍କା ଆସିଥିଲା। ୫୪ଟି ପାଣି ପଂଚାୟତ ପାଇଁ ଆବଶ୍ୟକ ଅନୁଦାନ ଯୋଗାଇବାକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି। ଅନୁଦାନ ଆସିଲେ ଏହି ପାଣି ପଂଚାୟତ ଗୁଡ଼ିକ ଉନ୍ନତି ସାଧନ ହେବ। ଜିଲ୍ଲାରେ ପାଣି ପଂଚାୟତ ଗଠନ ଏବଂ ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ସ୍ୱତନ୍ତ୍ର ସହାୟତା ରାଶି, ନାବାର୍ଡର ଆରଆଇଡିଏଫ ଅନୁଦାନ ଯୋଗଇ ଦିଆଯାଇଥାଏ। ବିଗତ ବର୍ଷ ମଧ୍ୟରେ ଉଠାଜଳସେଚନ ବିଭାଗକୁ ପ୍ରାୟ ୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ତେବେ ପାଣି ପଂଚାୟତ ଗଠନ ପରେ ଏହାର ରକ୍ଷଣା ବେକ୍ଷଣ ପାଇଁ ଅନୁଦାନ ଆସ ନଥିବାରୁ ପ୍ରାୟତଃ ପାଣି ପଂଚାୟତ ସ୍ଥାଣୁ ପାଲଟିବାରେ ଲାଗିଛି। ଚାଷୀଙ୍କୁ ନେଇ ପାଣି ପଂଚାୟତ ଗଠନ କରାଯିବାର ବ୍ୟବସ୍ଥା ରହିଛି। ଚାଷୀମାନେ ପାଣି ପଂଚାୟତ ଜରିଆରେ ଚାଷର ବିକାଶ କରିବେ।

ଚାଷୀମାନେ ନିଜେ ନଜିର ପ୍ରତିନିଧି ଜରିଆରେ କାର୍ଯ୍ୟ ସଂପାଦନ କରିବେ। ଫଳରେ ଆଦୌ ବାଟମାରଣା ହେବ ନାହିଁ। ତେବେ ଜିଲ୍ଲାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା। କେତେକ ସ୍ଥାନରେ ରାଜନେତା ଓ ସମର୍ଥକ ପାଣି ପଂଚାୟତକୁ ନିଜ ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି। ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ଲକ୍ଷ ଲକ୍ଷ ଠିକା କାମକୁ ହାତେଇବା ଅଭିନବ ଯୋଜନା କରିଛନ୍ତି। ବିଭିନ୍ନ ସ୍ଥାନରେ ଆସୁଥିବା ଅନୁଦାନର ଅର୍ଥ ସତ୍‌ ବିନିଯୋଗ ନହୋଇ କାର୍ଯ୍ୟ ନିମ୍ନ ମାନର ହେବା ଫଳରେ ଅନୁଦାନ ବାଟମାରଣା ହେଉଥିବା ଜଣାପଡ଼ିଛି। ବିଭିନ୍ନ ବିଭାଗ ପାଣି ପଂଚାୟତ ମାଧ୍ୟମରେ ଯେତିକି ଜମିକୁ ଜଳସେଚନ କରାଯାଇଥିବା କହୁଛନ୍ତି ବାସ୍ତବ କ୍ଷେତ୍ରରେ କିନ୍ତୁ ତାହା ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର