ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷାଭାବ:ଖରିଫ ଚାଷ ଲକ୍ଷ୍ୟ ପୂରଣ ନେଇ ଅନିଶ୍ଚିତତା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଚଳିତ ବର୍ଷ ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ୩୫୦ ହେକ୍ଟର ଚାଷ ଜମିରେ ଖରିଫ ଚାଷ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏଥି ମଧ୍ୟରେ ୧ ଲକ୍ଷ ୨ ହଜାର ୧୩୫ ହେକ୍ଟର ଚାଷ ଜମିରେ ଧାନ ଚାଷ, ୧ ହଜାର ହେକ୍ଟର ଜମିରେ ବିଭିନ୍ନ ଶସ୍ୟ, ୧୪ ହଜାର ୯୦୦ ହେକ୍ଟର ଜମିରେ ଡାଲି ଜାତୀୟ, ୧ ହଜାର ୯୪୦ ହେକ୍ଟର ଜମିରେ ତୈଳବୀଜ, ୪ ହଜାର ୮ ଶହ ହେକ୍ଟର ଜମିରେ ତନ୍ତୁ ଜାତୀୟ ଚାଷ, ୪ ହଜା‌ର ୪୫୦ ହେକ୍ଟର ଜମିରେ ପନିପରିବା, ୧ ହଜା‌ର ହେକ୍ଟର ଜମିରେ ଲଙ୍କା, ୧୨୫ ହେକ୍ଟର ଜମିରେ ଆଖୁ ଚାଷ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଚଳିତ ଖରିଫ ଋତୁରେ ୫ ଲକ୍ଷ ୮୪ ହଜାର ୬୩୦ ମେଟ୍ରିକ ଟନ ଧାନ, ୧୨ ହଜାର ୪୦୯ ମେଟ୍ରିକ ଟନ ଡାଲି, ୨ ହଜାର ୩୩୫ ମେଟ୍ରିକ ଟନ ତୈଳବୀଜ, ୯ ହଜାର ୭୦ ମେଟ୍ରିକ ଟନ ତନ୍ତୁ, ୩୯ ହଜାର ୧୫୮ ମେଟ୍ରିକ ଟନ ପନିପରିବା, ୧ ହଜାର ୨୫୨ ମେଟ୍ରିକ ଟନ ଲଙ୍କା, ୮ ହଜାର ୮୧୩ ମେଟ୍ରିକ ଟନ ଆଖୁ ଉତ୍ପାଦନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରହିଛି। ଖରିଫ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ମୋଟ ୯୩ ହଜାର ୫୯୧ ହେକ୍ଟର ଜମିକୁ ଜଳ ସେଚନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏଥି ମଧ୍ୟରେ ବୃହତ୍ତର ଜଳସେଚନ ଯୋଜନା ମାଧ୍ୟମରେ ୪୨ ହଜାର ୮୪୦ ହେକ୍ଟର, ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୧୪ ହଜାର ୪୭୯ ହେକ୍ଟର, କ୍ଷୁଦ୍ର ଜଳସେଚନ ଯୋଜନା ମାଧ୍ୟମରେ ୫ ହଜାର ୨୮୨ ହେକ୍ଟର, ଉଠା ଜଳସେଚନ ଯୋଜନା ମାଧ୍ୟମରେ ୨୫ ହଜାର ୨ ହେକ୍ଟର, ବୃହତ୍ତର ଉଠା ଜଳସେଚନ ଯୋଜନା ମାଧ୍ୟମରେ ୨ହଜାର ୩୪୦ ହେକ୍ଟର, ଡଗୱେଲ ମାଧ୍ୟମରେ ୨ ହଜାର ୪୨୯ ହେକ୍ଟର, ଅନ୍ୟାନ୍ୟ ଯୋଜନାରେ ୧ ହଜାର ୨୧୯ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି। ତେବେ ଜିଲ୍ଲାରେ ୪୧ ହଜାର ୮୨୪ ହେକ୍ଟର ଚାଷ ଜମିକୁ ଜଳ ସେଚନର ବ୍ୟବସ୍ଥା ନାହିଁ। ଜିଲ୍ଲାରେ ଖରିଫ ଚାଷ ବିଶେଷ କରି ବର୍ଷା ଉପରେ ନିର୍ଭରଶୀଳ। ଜିଲ୍ଲାର ସୋନପୁର, ଉଲୁଣ୍ଡା, ତରଭା, ବୀରମହାରାଜପୁର ବ୍ଲକ ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାରେ ଚାଷ କାର୍ଯ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଆବଶ୍ୟକ ଜଳସେଚନର ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ବର୍ଷ ଚାଷୀଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଖରିଫ ଋତୁ ଆରମ୍ଭରେ ସ୍ବଭାବିକ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଆଉ ବର୍ଷ ନ ହେବାରୁ ଏବେ ଚାଷୀ ଚିନ୍ତାରେ। ଜିଲ୍ଲାରେ ଜୁନ ମାସରେ ହାରାହାରି ବୃଷ୍ଟିପାତ ୨୧୭.୪ ମି.ମି. ରହିବା କଥା କିନ୍ତୁ ଏହି ମାସରେ ହାରାହାରି ବୃଷ୍ଟିପାତ ୧୬୭.୨ ମି.ମି. ରହିଥିଲା। ଏହି ମାସରେ ଜିଲ୍ଲାର ତରଭା ବ୍ଲକରେ ସର୍ବାଧିକ ୨୬୫.୮ ମି.ମି. ହାରାହାରି ବୃଷ୍ଟିପାତ ହୋଇଥିବା ବେଳେ ଡୁଙ୍ଗୁରିପାଲି ବ୍ଲକରେ ସର୍ବନିମ୍ନ ୧୧୮.୦୦ ମି.ମି. ବର୍ଷା ହୋଇଛି। କିନ୍ତୁ ଜୁଲାଇ ମାସରେ ଜିଲ୍ଲାର ହାରାହାରି ବୃଷ୍ଟିପାତ ୩୯୯.୬ ମି.ମି. ରହିବା କଥା କିନ୍ତୁ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୬୪.୫୫ ମି.ମି. ରହିଛି। ଆଷାଢ ମାସରେ ବର୍ଷା ବଦଳରେ ମୁଣ୍ଡ ଫଟା ଖରା ଯୋଗୁଁ ଚାଷୀ ଚିନ୍ତାରେ ରହିଛି। ଜିଲ୍ଲାରେ ଆବଶ୍ୟକତାଠାରୁ କମ୍‌ ବର୍ଷା ଯୋଗୁଁ ଅଧିକାଂଶ ଜମି ପଡ଼ିଆ ରହିଛି। ବର୍ଷାଭାବ ଯୋଗୁଁ ଜିଲ୍ଲା ଲକ୍ଷ୍ୟ ଧାର୍ଯ୍ୟ ଖରିଫ ଚାଷ ପୂରଣ ନେଇ ଅନିଶ୍ଚିତତା ଦେଖା ଦେଇଛି। ଆଉ କିଛି ଦିନ ମଧ୍ୟରେ ସ୍ବଭାବିକ ବର୍ଷା ନହେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର