ସୋନପୁର: ଅନ୍ୟ ବର୍ଷ ଭଳି ପୁଣି ଚଳିତ ବର୍ଷ ଜିଲ୍ଲାର କପାଚାଷୀ ପୁଣି କ୍ଷତି ସହିବେ। ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ଦୁଇ ବର୍ଷ ତଳର ନିଷ୍ପତ୍ତି ଠିକ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ। ବର୍ତ୍ତମାନ ଜିଲ୍ଲାରେ ଜିଲ୍ଲାରେ କପା ଉତ୍ପାଦନ ଆରମ୍ଭ ହେଲାଣି। ଫଳରେ କପାଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି।
ସୁବର୍ଣ୍ଣପରୁ ଜିଲ୍ଲାରେ କପା ଚାଷର ପ୍ରସାର ଓ ବିକ୍ରିବଟାର ନୀତି ନିର୍ଦ୍ଧାରଣ ପାଇଁ ୨୦୧୫ରେ ଏକ ଜିଲ୍ଲାସ୍ତରୀୟ କପା ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଦାଶରଥି ଶତପଥୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ବୈଠକରେ ବୀରମହାରାଜପୁର ଉପଖଣ୍ଡରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏକ କପା ମଣ୍ଡି ବଡଖମାରଠାରେ ସ୍ଥାପନ ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏପରିକି ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଅସ୍ଥାୟୀ ମଣ୍ଡିରେ କପା କିଣା ଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଚଳିତ ବର୍ଷ ଜିଲ୍ଲାରେ ୨ ହଜାର ୯୦୫ ହେକ୍ଟର ଚାଷ ଜମିରେ କପା ଚାଷ କରାଯାଇଛି। ଏଥି ମଧ୍ୟରେ ବୀରମହାରାଜପୁର ବ୍ଲକରେ ୨ ହଜାର ୬୫୦ ହେକ୍ଟର, ଉଲୁଣ୍ଡା ବ୍ଲକରେ ୧୯୫ ହେକ୍ଟର ଏବଂ ତରଭା ବ୍ଲକରେ ୬୦ ହେକ୍ଟର ଜମିରେ କପାଚାଷ କରାଯାଇଛି।
କପାଚାଷୀଙ୍କ କହିବା ଅନୁସାରେ, ତତ୍‌କାଳୀନ ଜିଲ୍ଲାପାଳ ଭବାନୀଶଙ୍କର ପଣ୍ଡାଙ୍କ କାର୍ଯ୍ୟକାଳ ସମୟରେ ସୋନପୁର ସ୍ପିନିଂ ମିଲ କପା ଚାଷୀଙ୍କଠାରୁ କପା କ୍ରୟ କରିବା ନେଇ ପଦକ୍ଷେପ ନିଆଯାଇଥିଲା ଏବଂ ଚାଷୀମାନେ ସ୍ପିନିଂ ମିଲକୁ କପା ବିକ୍ରି କରି ଉଚିତ୍‌ ମୂଲ୍ୟ ପାଇ ପାରୁଥିଲେ। ତେବେ ଶ୍ରୀ ପଣ୍ଡାଙ୍କ ବଦଳି ପରେ ଜିଲ୍ଲାରେ କପା ଚାଷୀଙ୍କ ସମସ୍ୟା ପ୍ରତି ଅନ୍ୟ କୌଣସି ଜିଲ୍ଲାପାଳ ଦୃଷ୍ଟି ଦେଇନାହାନ୍ତି। ଫଳରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ୫୦ କୋଟି ଟଙ୍କାର କପା ଉତ୍ପାଦନ ଉପରେ ଦଲାଲମାନେ ଦୃଷ୍ଟି ପକାଇଲେଣି। ସରକାରୀ ଉଦାସୀନତା ଯୋଗୁଁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ଦେଖା ଦେଲାଣି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।