ସୋନପୁର/ ବିନିକା/ ବୁର୍ଲା : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଫୁଟିଛି ଗୁଳି। ଘରେ ଶୋଇଥିବାବେଳେ ବିନିକା ପଡ଼ାର ଜଣେ ଚା’ ଦୋକାନୀ ଜୟନ୍ତ ଦାଶ (୪୦)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୋଜନାବଦ୍ଧ ଭାବରେ ଏହି କାଣ୍ଡ ଭିଆଇ ଫେରାର୍ ହୋଇଯାଇଛି ହତ୍ୟାକାରୀ। ଏଭଳି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ବିନିକାରେ ବିଦ୍ୟୁତ ନଥିବାରୁ ଜୟନ୍ତ ଘର କବାଟ ଖୋଲା ରଖି ତଳେ ଶୋଇଥିଲେ। ତାଙ୍କ ପତ୍ନୀ ଆରତି ଓ ଅଢ଼େଇ ବର୍ଷର ପୁଅ ଖଟରେ ଶୋଇଥିଲେ। ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଜୟନ୍ତଙ୍କ ମୁଣ୍ଡକୁ ଗୁଳିକରି ହତ୍ୟାକାରୀ ଫେରାର ହୋଇ ଯାଇଥିଲା। ଗୁଳି ଶବ୍ଦ ପତ୍ନୀ ଆରତି ଶୁଣି ପାରି ନଥିଲେ। ରାତି ୪ଟାରେ ତାଙ୍କ ନିଦ ଭାଙ୍ଗିବାରୁ ଜୟନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସେ ଦେଖି ଜୟନ୍ତଙ୍କ ସାନଭାଇ ପ୍ରଶାନ୍ତଙ୍କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ପ୍ରଥମେ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜୟନ୍ତଙ୍କ ମା’ ଅହଲ୍ୟାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/firing-1.jpg)