କମ୍‌ ଛାତ୍ର ଯୋଗୁଁ ୩ ସ୍କୁଲ ବନ୍ଦ, ଅଭିଭାବକ ଚିନ୍ତାରେ

ଉଲୁଣ୍ଡା: ୧୦ରୁ କମ ପିଲା ଥିବାରୁ ଉଲୁଣ୍ଡା ବ୍ଲକ୍‌ର ୩ଟି ସ୍କୁଲ ବନ୍ଦ ହୋଇଯାଇଛି। ଏହି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅନ୍ୟ ସ୍କୁଲରେ ଶିକ୍ଷାଦାନ ତଥା ପଢ଼ିବାର ବ୍ୟବସ୍ଥା କରାଯାଇଛି। ହେଲେ ଦୂରତା ହେତୁ ସଂପୃକ୍ତ ସ୍କୁଲର ପିଲାମାନେ ବର୍ତ୍ତମାନ ଘରେ ବସି ଥିବାରୁ ଅଭିଭାବକମାନେ ଚିନ୍ତାରେ ଅଛନ୍ତି। ଏହି ବ୍ଲକ୍‌ର ଘିକୁଣ୍ଡି ସ୍କୁଲରେ ୯ ଜଣ, ମହୁରିଆପାଲିରେ ୯ ଓ ଆଡିଆପଡ଼ା ସ୍କୁଲରେ ୫ ଜଣ ଛାତ୍ରଛାତ୍ରୀ ଥିବାରୁ ଗତ ୬ ତାରିଖ ଠାରୁ ଉକ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଘିକୁଣ୍ଡି ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ନିକଟସ୍ଥ ଗୁଞ୍ଜପାଲି ସ୍କୁଲରେ ନିଯୁକ୍ତି ମିଳିଥିବା ବେଳେ ସଂପୃକ୍ତ ସ୍କୁଲର ପିଲାମାନଙ୍କ ମଧ୍ୟ ଗୁଞ୍ଜପାଲି ସ୍କୁଲ ଯିବାକୁ କୁହାଯାଇଛି।

ହେଲେ ଏଠାରୁ ଗୁଞ୍ଜପାଲି ୨ କିମି. ଜଙ୍ଗଲ ରାସ୍ତା ପଡୁ ଥିବାରୁ ପିଲାମାନେ ସେଠାକୁ ଯାଉନଥିବା ସ୍କୁଲର ସଭାପତି ମହାଦେବ ଭୋଇ ପ୍ରକାଶ କରିଛନ୍ତି। ଆଡ଼ିପଡ଼ା ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ କ୍ଷୀରପୁର ସ୍କୁଲରେ ପଢିବାର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନେ ସ୍କୁଲକୁ ଯାଉନାହାନ୍ତି। ମହୁରିଆପାଲି ସ୍କୁଲର ପିଲାମାନେ ଘରେ ବସି ରହିଥିବା ଜଣାଯାଇଛି। ଏନେଇ ଏବିଇଓ ଶଶି ସେଠୀଙ୍କୁ ପଚାରିବାରୁ ନିକଟସ୍ଥ ସ୍କୁଲକୁ ପିଲାମାନେ ପାଠ ପଢିବାକୁ ଗଲେ ୧୫ ଶହ ଟଙ୍କା ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର