ହାତୀ ଶିକାର କରି ଦାନ୍ତ ବିକ୍ରି ଉଦ୍ୟମ: କକା-ପୁତୁରା ଗିରଫ

ଉଲୁଣ୍ଡା : ସୁବର୍ଣ୍ଣପୁର ବନ ବିଭାଗ କର୍ମଚାରୀମାନେ ଅଭିନବ ଉପାୟରେ ହାତୀଦାନ୍ତ ମାଫିଆଙ୍କୁ ଧରିଛନ୍ତି। ବେପାରୀ ସାଜି ଦୁଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ସେମାନଙ୍କ ନିକଟରୁ ଦୁଇଟି ହାତୀଦାନ୍ତ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ମେଘନାଦ ଗ୍ରାମର ସୁରେନ୍ଦ୍ର କର୍ଣ୍ଣ (୪୬ ବ‌ର୍ଷ) ଏବଂ ତାଙ୍କ ପୁତୁରା କାଳିଆ କର୍ଣ୍ଣ (୨୩ବର୍ଷ)। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, କୋଟସମଲାଇ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ସୁନାପାଲି ଚାଂଦଲି ଜଙ୍ଗଲରେ କିଛିଦିନ ତଳେ ଏକ ହାତୀ ଶିକାର କରାଯାଇଥିଲା। ଶନିବାର ବନ ବିଭାଗର କର୍ମଚାରୀମାନେ ବେପାରୀ ସାଜି ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ରାଧାନଗର-ଢେଲାଇ ରାସ୍ତାରେ ଅଟକି ରହିଥିଲେ। ଫୋନ୍‌ ଯୋଗେ ଯୋଗାଯୋଗ କରି ଦୁଇଲକ୍ଷ ଟଙ୍କାରେ ହାତୀ ଦାନ୍ତ କିଣିବା କଥା ଛିଣ୍ଡିଥିଲା। ଏହା ପରେ ମେଘନାଦ ଗ୍ରାମର ସୁରେନ୍ଦ୍ର ଓ କାଳିଆ ଏହି ହାତୀଦାନ୍ତ ଧରି ବାଇକ୍‌ରେ ଆସିଥିଲେ। ଏହି ସମୟରେ ବନ କର୍ମଚାରୀମାନେ ଉଭୟଙ୍କୁ କାବୁ କରି ସେମାନଙ୍କ ନିକଟରୁ ଦୁଇଟି ହାତୀଦାନ୍ତ ଜବତ କରିଥିଲେ।

ସମ୍ବନ୍ଧିତ ଖବର