ପାକିସ୍ତାନୀ ଓ ମାଓବାଦୀ କହି ବସ୍‌ ଭିତରେ ଉନ୍ମତ୍ତ କାଣ୍ଡ, ଦୁଇ ଅଟକ

ବିନିକା: ନିଜକୁ ପାକିସ୍ତାନୀ ଓ ମାଓବାଦୀ କହି ଗୁରୁବାର ସନ୍ଧ୍ୟାରେ ଚଳନ୍ତା ବସ୍‌ ଭିତରେ ଉନ୍ମତ୍ତ କାଣ୍ଡ କରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ରିପୋର୍ଟ ଅନୁସାରେ ବରଗଡ଼ରୁ  ବିନିକା ଦେଇ ଭୁବନେଶ୍ୱର ଯାଉଥିବା ସରକାରୀ ବସ ଭିତରେ ସୋନପୁର-ବିନିକା ମୁଖ୍ୟରାସ୍ତାର ଫୁଲମୁଠି କଡ଼ିପୋଲ ପାଖରେ ଗାଡ଼ିରେ ଯାତ୍ରା କରୁଥିବା ଦୁଇଜଣ ବ୍ୟକ୍ତି ପାକିସ୍ତାନୀ ଶ୍ଲୋଗାନ ଦେଇ ଯାତ୍ରୀଙ୍କୁ ଭୟଭୀତ କରାଇ ଗାଡ଼ିରେ ସାଧାରଣ ଯାତ୍ରୀ ଓ ମହିଳାମାନଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ଗାଡ଼ିରେ ତୁମୁଳ କାଣ୍ଡ କରିଥିବା ଦୁଇଜଣଙ୍କୁ ବସ ଭିତରୁ ପୁଲିସ ଉଦ୍ଧାର କରି ବିନିକା ଡ଼ାକ୍ତରଖାନାରେ ଚିକିତ୍ସା କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛିା

ପାକିସ୍ତାନୀ ଓ ମାଓବାଦୀ ବୋଲାଉଥିବା ତାମିଲନାଡୁର ଦୁଇ ବ୍ୟକ୍ତି ବରଗଡ଼ରୁ ବସରେ ଚଢ଼ି ବୌଦ୍ଧ ଯାତ୍ରା କରୁଥିବା ବସ କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି। ସେମାନେ ଗାଡ଼ି ବିନିକା ବସଷ୍ଟାଣ୍ଡ ଛାଡ଼ିଲା ପରେ  ଯାତ୍ରୀମାନଙ୍କୁ ଆମେ ମାଓବାଦୀ ଓ ପାକିସ୍ତାନରୁ ଆସିଛୁ କହି ମାଡ଼ ପିଟ କରିବା ସହ ଗାଡ଼ିରେ ବସିଥିବା ମହିଳାଙ୍କୁ ଅସଦାଚରଣ କରିଥିଲେ।

ଏହା ପରେ ଯାତ୍ରୀମାନେ ବସକୁ ବିନିକା ସୋନପୁର ରାସ୍ତା ଫୁଲମୁଠି କଡ଼ିପୋଡ଼ ପାଖରେ ବସ ଅଟକାଇ ଉଭୟଙ୍କୁ କାବୁ କରି  ପୁଲିସକୁ ହସ୍ତାନ୍ତର କରିଥିଲେ । ଆହତ ଅଭିଯୁକ୍ତମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର