ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରାୟ ୧୦୫ କିଲୋମିଟର ଦେଇ ପ୍ରବାହିତ ହୋଇଛି ଚିରେସ୍ରାତା ମହାନଦୀ। ତେବେ ଗତ କିଛି ବର୍ଷ ହେଲା ବର୍ଷା ଦିନକୁ ଛାଡି ଦେଲେ ଏଥିରେ ଜଳ ପ୍ରବାହ କମିବାରେ ଲାଗିଥିବାରୁ ମହାନଦୀ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ଜିବୀକା ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଲାଣି । ମହାନଦୀରେ ଜଳ ପ୍ରବାହ କମୁଥିବାରୁ ବିଶେଷ କରି ମତ୍ସ୍ୟଜୀବୀମାନେ ସେମାନଙ୍କ କୌଳିକ ବୃତ୍ତି ମାଛ ମାରି ଜୀବନ ଜିଇଁବା କଷ୍ଟକର ହୋଇପଡ଼ିଛି। ଜିଲ୍ଲାରେ ମହାନଦୀ ଉପରେ ନିର୍ଭରଶୀଳ ଶତାଧିକ ମତ୍ସ୍ୟଜୀବୀ ପରିବାର ବର୍ତ୍ତମାନ ଏନେଇ ଚିନ୍ତାରେ ପଡ଼ିଛନ୍ତି। ମହାନଦୀରେ ଜଳ ପ୍ରବାହ ଏବେଠାରୁ କମିଥିବାରୁ ଛତିଶଗଡ଼ରେ ଏକାଧିକ ବ୍ୟାରେଜ ନିର୍ମାଣ ଏଥିପାଇଁ ଦାୟୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜଳ ପ୍ରବାହ କମିଥିବାରୁ ଆଗ ଭଳି ଆଉ ଏଠାରେ ବିଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳୁ ନାହିଁ। ସେପଟେ କୀଟନାଶକ ଏବଂ ବିସ୍ଫୋରକ ଦ୍ରବ୍ୟ ପ୍ରୟୋଗ କରି ମାଛ ମାରିବା ଫଳରେ ବିଭିନ୍ନ ପ୍ରଜାତି ମାଛ ଲୋପ ପାଇସାରିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଜଳ ପ୍ରବାହ କମୁଥିବାରୁ କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଲାଣି। ରବି ଋତୁରେ ଜିଲ୍ଲାରେ ପ୍ରାୟ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଚାଷ କାର୍ଯ୍ୟ ହୋଇଥାଏ। ଗତ କିଛି ବର୍ଷ ହେଲା ମହାନଦୀରେ ଜଳ ପ୍ରବାହ କମିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଶେଷ କରି ହୀରାକୁଦ କମାଣ୍ଡ ଅଞ୍ଚଳର ତଳି ଅଞ୍ଚଳ ବିନିକା ଅଞ୍ଚଳକୁ ଠିକ ଭାବରେ ଜଳସେଚିତ ହୋଇପାରୁ ନାହିଁ। ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ହୋଇପାରୁ ନାହିଁ। ଅନ୍ୟ ପଟରେ ମହାନଦୀରୁ ଉଠା ଜଳସେଚନ ମାଧ୍ୟମରେ ମଧ୍ୟ ଜଳ ସେଚନର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯାଇଛି। ତେବେ ମହାନଦୀରେ ଜଳ ପ୍ରବାହ କମୁଥିବାରୁ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଚଳିତ ବରବି ଋତୁରେ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ମହାନଦୀରେ ଗୋଟିଏ ପଟରେ ଜଳ ପ୍ରବାହ କମୁଥିବା ବେଳେ ଅନ୍ୟ ପଟରେ ବିଭିନ୍ନ ସ୍ଥାନରେ ବାଲି ପୋତି ହୋଇ ଜଳ ପ୍ରବାହକୁ ରୋକି ଦେଉଛି।
ବର୍ତ୍ତମାନ ଜଳ ପ୍ରବାହ ସ୍ଥାନରେ କେବଳ ବାଲିସ୍ତୁପ ଏବଂ ପଥର ଖଣ୍ଡ ଦେଖିବାକୁ ମିଳୁଛି। ସୁବର୍ଣ୍ଣପୁର ଜିଲ୍ଲାର କୃଷି କ୍ଷେତ୍ର ପ୍ରାୟତଃ ମହାନଦୀର ଜଳ ପ୍ରବାହ ଉପରେ ନିର୍ଭରଶୀଳ। ମହାନଦୀରେ ଜଳ ପ୍ରବାହ କମୁଥିବାରୁ କୃଷି କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଜିଲ୍ଲାରେ ମହାନଦୀର ଜଳ ପ୍ରବାହ କମୁଥିବାରୁ ଏହାକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏହା ଆଉ କିଛି ବର୍ଷ ଲାଗି ରହେ ତାହେଲେ ମହାନଦୀ ଉପରେ ନିର୍ଭର କରି ବଞ୍ଚୁଥିବା କୃଷକ, ମତ୍ସ୍ୟଜୀବୀମାନେ ସେମାନଙ୍କର ଜୀବିକା ଆଗାମୀ ଦିନରେ ହରାଇବେ। ମହାନଦୀର ଜଳ ପ୍ରବାହ କମୁଥିବାରୁ ଛତିଶଗଡ଼ରେ ନିର୍ମାଣ ହେଉଥିବା ଏକାଧିକ ବ୍ୟାରେଜ ଏଥିପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଲାଣି। ତେବେ ଏନେଇ ଏବେଠାରୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାର କୃଷି କ୍ଷେତ୍ର ଏବଂ ମତ୍ସ୍ୟଜୀବୀ ପରିବାର ରୋଜଗାର ହରାଇ ଆର୍ଥିକ କ୍ଷତି ସହିବେ।