ବିଶ୍ବ ଜନସଂଖ୍ୟା ଦିବସ: ସଚେତନତା ହିଁ ସ୍ଥିରତା ଆଣିବ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ଗୁରୁ ଏଥିରେ ଅଧ୍ୟକ୍ଷତା କରି ବ୍ୟାପକ ଜନ ସଚେତନତା ଦ୍ବାରା ହିଁ ଜନସଂଖ୍ୟାରେ ସ୍ଥିରତା ସମ୍ଭବ ବାଲି ମତ ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ନବକିଶୋର ବେହେରା, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ପଦ୍ମହଂସା ଦୋରା ପ୍ରମୁଖ ମଞ୍ଚାସୀନ ହୋଇ ନିଜର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ ସଂଯୋଜନା କରିଥିବା ବେଳେ ଡିପିଏମ ଡ. ମୌସୁମୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ସମୀର ସାହୁ, ଫାର୍ମାସିଷ୍ଟ ତାରିଣୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
୨୭ ଜୁନରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଏହି ସଚେତନତା ପକ୍ଷ ପାଳିତ ହେଉଥିବା ବେଳେ ୧୧ ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଏହା ସ୍ଥିରୀକରଣ ପକ୍ଷ ହିସାବରେ ପାଳିତ ହେବ। ଏହି ପକ୍ଷରେ ଗ୍ରାମ୍ୟସ୍ତରରେ ଆଶାକର୍ମୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭ ନିରୋଧ ବଟିକା, କଣ୍ଡୋମ, ଆୟୁସିଡି, ଗର୍ଭ ନିରୋଧକ ଇଞ୍ଜେକସନ ଅନ୍ତରା, ଗର୍ଭନିରୋଧକ ଅସ୍ତ୍ରୋପଚାର ଆଦି ସେବା ଉପଲବ୍ଧ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହି ପକ୍ଷରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏବଂ ପ୍ରତି ବ୍ଲକ ପାଇଁ ୪୫ ସଂଖ୍ୟକ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର, ୧୫ ସଂଖ୍ୟକ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର, ୧୨୦ ସଂଖ୍ୟକ ଆୟୁସିଡି ଏବଂ ୫୦ ସଂଖ୍ୟକ ଅନ୍ତରା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସୂଚନା ଦିଆଯାଇଥିଲା।
ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିସନର ଜିଲ୍ଲା ତାଲିମ କେନ୍ଦ୍ର ଠାରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜନ୍ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡା. ମକରନ୍ଦ ବେଉରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା ମଦନମୋହନ ପ୍ରଧାନ, ଅନ୍ୟାନ୍ୟ ପଦାଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ତଥା ଏଏନ୍ଏମ୍ ଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଓ ଯୋଗାଯୋଗ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ। ସଭା ପୂର୍ବରୁ ଏଏନ୍ଏମ୍ ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା।
ବିନିକା: ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ଭାରପ୍ରାପ୍ତ ମେଡିକାଲ ଅଫିସର ଡ. ଜୟପ୍ରକାଶ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଡ. ଦିଲ୍ଲୀପ ପାଣ୍ଡିଆ, ଡ. ସନ୍ତୋଷିନୀ ବିଶ୍ୱାଲ, ବିନିକା ଏନଏସିର ପ୍ରହଲ୍ଳାଦ ବରେଇ, ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଧନ୍ୟବାଦ ପର୍ବ ସରିବା ପରେ ବିନିକା ଏବିଓ ଶ୍ରୀ ସେଠୀଙ୍କୁ ମଞ୍ଚରେ ଭାଷଣ ଦେବାକୁ ନିମନ୍ତ୍ରଣ କରିଥିବାରୁ ସଭାରେ ଅଶାନ୍ତି ଦେଖାଦେଇଥିଲା। ସେହିପରି ସଭାକୁ ବ୍ଲକ୍‌ ଓ ଏନଏସିସ୍ତରିୟ ଅଧିକାରୀଙ୍କୁ ପତ୍ର କରିଥିଲେ ମଧ୍ୟ ଅନୁପସ୍ଥିତ ଥିବାରୁ ସଚେତନା ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ଅନୁଷ୍ଠିତ ସଭାରେ ବିପିଏମ୍ ନାରାୟଣ ମେହେର, ପ୍ରଦୀପ ସାହୁ, ଡିଲେଶ୍ୱର ବେହେରା, ଶ୍ରୀୟା ସାହୁଙ୍କ ସମେତ ଏଚ୍ଡବ୍ଲୁ(ଏଫ୍/ଏମ୍), ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅମିତା ଚାନ୍ଦ ଧନ୍ୟବାଦ ଦେଇଥିଲେ।
ତରଭା: ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଲଗ୍ନା ନେଗୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ଜେନେରାଲ ମେଡିକାଲ ଅଫିସର ଡାକ୍ତର କେ କେ ମିଶ୍ର ମୁଖ୍ୟ ଅତିଥି ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିରଞ୍ଜିବି ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ୨୦୧୮-୧୯ ବର୍ଷରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିଷ୍ଠାର ସହ କାମକରିଥିବା ରୁଗୁଡିପାଲିର ଆଶା କର୍ମୀ ଶକୁନ୍ତଳା ମେହେର ଓ ତରଭା ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ପବିତ୍ରମୟୀ ବିଶ୍ୱାଳଙ୍କୁ  ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚାନ୍ଦନୀ ମେହେର ପରିଚାଳନା କରିଥିଲେ। ଏଥିରେ ଡାକ୍ତରଖାନାର ସମସ୍ତ କର୍ମଚାରୀ, ଆଶା ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଯୋଗ ଦେଇଥିଲେ। ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର