ଜୟପୁର: ଆଉ ମାତ୍ର ଚାରି ଦିନ ଗଲେ ସମଗ୍ର ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଏହି କ୍ରମରେ ଜୟପୁର ଉପଖଣ୍ଡସ୍ତରୀୟ ଦିବସ ସ୍ଥାନୀୟ ଦଶହରାପଡ଼ିଆରେ ପାଳନ କରାଯିବ। ଗତକାଲି ଜୟପୁର ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରଭାତ କୁମାର ପରିଡ଼ା ଆଜି ପଡ଼ିଆରେ କିଭଳି ଆୟୋଜନ ହେବ ତାହାର ତଦାରଖ କରିବାକୁ ଆସିଥିଲେ। ପଡ଼ିଆର ଚାରି ପଟେ କୁଢ଼କୁଢ଼ ମଇଳା ଜମା ହୋଇ ରହିଥିବା ଏବଂ ଗୋଟିଏ ପାର୍ଶ୍ବରେ ଲତାବୁଦା ବ୍ୟାପକ ଭାବେ ଉଠିଥିବା ଦେଖିବା ପରେ ଖୁବ ବିଗିଡ଼ିଥିଲେ। ତୁରନ୍ତ ମଇଳା ସବୁ ଉଠାଇବାକୁ ପୌରପାଳିକାର ପରିମଳ ବିଭାଗର ସାନିଟାରୀ ନିରୀକ୍ଷକ ପି.ଜଗଦୀଶଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଡିଆର ଚାରିପଟେ ଭଲ ବ୍ୟାରିକେଡ୍ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପଡିଆର ଚାରିପଟେ ପାଣି ଚାଲିବା ସହ କାଦୁଅ ପଚପଚ କରୁଥିବା ଦେଖିବା ପରେ ଏହାକୁ ସଜାଡିବାକୁ କହିଥିଲେ ଉପଜିଲ୍ଲାପାଳ। ସେଭଳି ତ୍ରିରଙ୍ଗା ପତାକା ରହୁଥିବା ରୋଟରୀ ଭାଙ୍ଗିରୁଜି ଯାଇଥିବାରୁ ତାହାକୁ ସଜାଡ଼ିବା ସହ ମଂଚ ଠିକ ଭାବେ ସଜାଡ଼ିବାକୁ କହିଥିଲେ।
ଏହା ପରିସରରେ ଗୋଟିଏ ପାର୍ଶ୍ବରେ ଉଠିଥିବା ଲତାବୁଦା ସବୁକୁ ସଫାସୁତୁରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଡ଼ିଆର ଗୋଟିଏ ପାର୍ଶ୍ବରେ ଖତମାଟି ଆଣି ଜମା କରିଥିବାରୁ କିଏ ଜମା କରିଛି ବୋଲି ପଚାରିବୁଝିଥିଲେ। ତାଙ୍କ ସହ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଏବିଡିଓ ମନୋଜ କୁମାର ନାୟକ, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ଭାରପ୍ରାପ୍ତ ଟାଉନଥାନା ଅଧିକାରୀ ସବଇନିସପେକ୍ଟର ସଂଜୀବ ମହାନ୍ତି , ଗ୍ରନ୍ଥଗାରକ ସନ୍ତୋଷ କୁମାର ସାହୁ, ସ୍ବେଚ୍ଛାସେବୀ ନିଶାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କୁ ନେଇ ପଡ଼ିଆରେ ସମ୍ମିଳିତ ପରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ । ତେଣୁ ଏହା ପୂର୍ବରୁ ସଜାଡ଼ିବାକୁ ପଡ଼ିବ ବୋଲି ଉପଜିଲ୍ଲାପାଳ ପୌରକର୍ମଚାରୀଙ୍କୁ କହିଥିଲେ। ସ୍ବାଧୀନତା ଦିବସ ଦିନ କାର୍ଯ୍ୟକ୍ରମ ଚାଲିବା ସମୟରେ ପୁଲିସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ବେଚ୍ଛାସେବୀ, ସ୍କୁଲ ଛାତ୍ରଛାତ୍ରୀ ଆଦିଙ୍କୁ ବି ନିୟୋଜିତ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।