କେନ୍ଦ୍ରାପଡ଼ା: ଜଳସେଚନ ବିଭାଗ ଜଗତପୁର ନର୍ଥ ଡିଭିଜନ୍ ଅଧୀନ ପୁନ୍ଦାଳ ସବଡିଭିଜନରେ ଦୁର୍ନୀତିର ସୀମା ଟପିଛି। ମରାମତି ଓ ପୁନରୁଦ୍ଧାର କାମ ନାଁରେ କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍ ହୋଇଛି। ୫ଲକ୍ଷରୁ କମ୍ ମୂଲ୍ୟରେ ହୋଇଥିବା ଏହି ଗୁପ୍ତ ଟେଣ୍ଡର୍କୁ ଢାଲ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଗଲା ସାଢ଼େ ତିନି ବର୍ଷ ଭିତରେ ୪କୋଟି ୮୫ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର୍ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସାମ୍ନାକୁ ଆସିବା ପରେ ଯନ୍ତ୍ରୀ ଓ ଠିକାଦାରଙ୍କ ଭୂମିକା ସନ୍ଦେହଘେରକୁ ଚାଲି ଆସିଛି। ଆର୍ଟିଆଇରୁ ମିଳିଥିବା ତଥ୍ୟ ମୁତାବକ, ୨୦୧୮-୧୯ରୁ ୨୦୨୧-୨୨ଆର୍ଥିକ ବର୍ଷ ଜୁଲାଇ ମାସ ମଧ୍ୟରେ କେବଳ ପୁନ୍ଦାଳ ସବଡିଭିଜନ୍ରେ ୪.୮୫କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍ ହୋଇଛି। ବିଶେଷକରି ନଦୀବଂଧ ରାସ୍ତା ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ଏହି ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ହେଲେ ସବୁ କାମର ମୂଲ୍ୟ ୫ଲକ୍ଷ ଟଙ୍କା ତଳକୁ ରହିଛି। କେଉଁଠି ମରାମତି ନାଁରେ ଦୁଇ ଲକ୍ଷ ଖର୍ଚ୍ଚ କରାଯାଇଛି ତ କେଉଁଠି ସାଢ଼େ ଚାରି ଲକ୍ଷ। ଖାଲି ସେତିକି ନୁହେଁ, ଜଣେ ଜଣେ ଠିକାଦାରଙ୍କୁ ଏକାଧିକ କାମ ଦିଆଯାଇଥିବା ଜଣାପଡ଼ିଛି।
ଚିତ୍ରୋତ୍ପଳା ବାମ, ଲୁଣା ଡାହାଣ ଏବଂ କରାଣ୍ଡିଆ ନଦୀର ବାମ ପାର୍ଶ୍ବ ବଂଧ ରାସ୍ତାରେ ଏ ସବୁ କାମ କରାଯାଇଥିବା ରେକର୍ଡରେ ଦର୍ଶାଯାଇଛି। ହେଲେ ରେକର୍ଡରେ ଯେଉଁ ସବୁ କାମ ଦର୍ଶାଯାଇଛି, ତାହା ବାସ୍ତବରେ ହେଇଛି କି' ନାହିଁ, ତାହା ଏବେ ତଦନ୍ତର ବିଷୟ ହୋଇଛି। ଏଇଥିପାଇଁ ଯେ ଉକ୍ତ କାମ ଗୁଡ଼ିକ ସଂପର୍କରେ ନା ଖବରକାଗଜରେ ଟେଣ୍ଡର୍ ବିଜ୍ଞପ୍ତି ବାହାରିଛି ନା ଅଫିସ୍ ନୋଟିସ୍ ବୋର୍ଡରେ ଲାଗିଛି? ଠିକାଦାରଙ୍କୁ ପୋଷିବା ନ୍ୟାୟରେ ଜାଣିଶୁଣି ବଡ଼ ବଡ଼ ପ୍ରକଳ୍ପଗୁଡ଼ିକୁ ଭାଗ ଭାଗ କରାଯାଇ ୫ଲକ୍ଷରୁ କମ୍ ମୂଲ୍ୟର ଗୁପ୍ତ ଟେଣ୍ଡର୍ କରାଯାଇଛି, ତେଣୁ ଦୁର୍ନୀତି ଅଭିଯୋଗ ଅଧିକ ଦୃଢ଼ୀଭୂତ ହେଉଛି। ଅନ୍ୟପକ୍ଷରେ ପୁନ୍ଦାଳ ସବ୍ ଡିଭିଜନ୍କୁ ଯଦି ଉଦାହରଣ ଭାବେ ନେବା, ତେବେ ଏଠାରେ ସାଢ଼େ ତିନି ବର୍ଷ ଭିତରେ ଯଦି ପାଖାପାଖି ୫କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍ ହେଉଛି, ତା’ ହେଲେ ନର୍ଥ ଡିଭିଜନ୍ ଅଧିନସ୍ଥ ଅନ୍ୟ ସବୁ ସବ୍ ଡିଭିଜନ୍କୁ ଏହି ପରିମାଣ କେତେ ହେବ, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି।