ନିଜ ହାତ ନାହିଁ, ତଥାପି ଭାଇ ହାତ ଖାଲି ରଖନ୍ତିନି: ଦିବ୍ୟାଙ୍ଗ ସୁଭଦ୍ରାଙ୍କ ନିଆରା ରାଖୀପୂର୍ଣ୍ଣିମା

ବାରିପଦା: ଆଜି ହେଉଛି ପବିତ୍ର ରାଖୀ ପୂର୍ଣ୍ଣିମା । ଏହି ଦିନ ବଡ଼ ଭାଇ ବଳଭଦ୍ର ଏବଂ ଜଗତର ନାଥ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ସୁଭଦ୍ରାଙ୍କ ହାତ ଗୋଡ଼ ନଥାଇବି ଦୁଇ ଭାଇଙ୍କୁ ରାଖୀ ବାନ୍ଧିବାର ପରମ୍ପରା ରହିଛି । ଏମିତି ଏକ ସୁଭଦ୍ରା ଅଛନ୍ତି ମୟୂରଭଞ୍ଜ ଜିଲାରେ । ଜନ୍ମରୁ ହାତ ଗୋଡ଼ ନଥାଇ ଦିବ୍ୟାଙ୍ଗ ହୋଇ ମାଆ କୋଳରେ ଜନ୍ମ ନେଇଥିବା ସୁଭଦ୍ରା କିପରି ନିଜ ଭାଇକୁ ରାଖୀ ବାନ୍ଧୁଛନ୍ତି ତାହା ସମସ୍ତଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ଏମିତି ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସୁକୃଳୀ ବ୍ଲକ୍ ତେରଣ୍ଟି ଗାଁ କଲୋନୀ ସାହିରେ । ଭଉଣୀକୁ ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତା ଖିଅର ଏହି ବନ୍ଧକୁ ରାଖୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ । ଓଡିଆମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ମଧ୍ୟ ପାଳନ କରନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାଖୀ ବାନ୍ଧିଥାନ୍ତି ।

ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କୁ ବନ୍ଦାପନା କରିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରି ସାରା ଜୀବନ ସେମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥାଆନ୍ତି । ତେଣୁ ଏହି ଅବସରରେ ଆଜି ଆମେ ଦେଖିବା ଜଣେ ନିଆରା ସୁଭଦ୍ରା ଭଉଣୀଙ୍କ କାହାଣୀ । ରାଖୀପୂର୍ଣ୍ଣିମା ଆସିଲେ ବେଶ ଖୁସି ହେବା ସହିତ ଅତି ଆନନ୍ଦରେ ଭାଇମାନଙ୍କୁ ରାଖୀ ବାନ୍ଧିଥାଏ ସୁଭଦ୍ରା । ଜନ୍ମର କିଛିଦିନ ପରେ ବାପ ଛେଉଣ୍ଡ ହୋଇଯାଇଥିବା ସୁଭଦ୍ରାଙ୍କୁ ଏବେ ୧୦ ବର୍ଷ ଛୁଇଁଲାଣି । ସେ ଜନ୍ମରୁ ହିଁ ଦିବ୍ୟାଙ୍ଗ । ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ସୁଭଦ୍ରା । ତାଙ୍କର ଗୋଟିଏ ଭାଇ ଅଛି ଯାହାଙ୍କୁ ୧୩ ବର୍ଷ ହେବ । ସୁଭଦ୍ରା ଏବେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ମା ଏକ କାରଖାନାରେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଇଥାଆନ୍ତି । ସୁଭଦ୍ରାଙ୍କ ବାପା ଆରପାରିକି ଚାଲିଯିବାର ୧୦ ବର୍ଷ ବିତିଗଲାଣି । ଏହା ଭିତରେ ଦୁଃଖ ଯନ୍ତ୍ରଣା ଅନେକ ଆସିଛି । ଭଲ ଘରଟିଏ ବି ନାହିଁ ବର୍ଷା ଦିନେ ଘରେ ପାଣି ଗଳିବା ସହିତ ଆର୍ଥିକ ସଙ୍କଟ ସବୁ ସମୟରେ ରହୁଛି ।

ଏମିତି କି ସୁଭଦ୍ରା ପାଠ ପଢିବାକୁ ଯିବା ପାଇଁ ଭିନ୍ନକ୍ଷମ ଗାଡିଟିଏ ବି ନାହିଁ । ସୁଭଦ୍ରାଙ୍କ ପାଠ ଯେମିତି ଭଲ ପଢ଼ନ୍ତି ସେମିତି ଗୁଣ ବି ତାଙ୍କର । ଦିବ୍ୟାଙ୍ଗ ହେଲେ ମଧ୍ୟ କେବେ ଭଗବାନଙ୍କୁ ଦୋଷ ଦେଇ ନାହାନ୍ତି । ରାଖୀ ପୂର୍ଣ୍ଣିମା ଆସିଲେ ବେଶ ଖୁସି ହୋଇପଡ଼ନ୍ତି ସୁଭଦ୍ରା । କାରଣ ତାଙ୍କ ଭାଇକୁ ସେ ବହୁତ ଭଲ ପାଆନ୍ତି । ସେ ଚାଲିପାରୁନଥିବାରୁ ଜଣେ ପଡ଼ିଶା ଘର ଭାଇ କାନ୍ଧରେ ପକାଇ ତାକୁ ନେବା ଆଣିବା କରେ । ଆଉ ସେ ପଡିଶା ଭାଇଙ୍କ ହାତରେ ସିନ୍ଦୁର ,ଫୁଲ ଦେଇ ପୂଜା କରିବା ସହିତ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଛି । ପଡିଶା ଘର ଭାଇ ବି ତାରଠାରୁ ରାଖୀ ବାନ୍ଧିଥିବାବେଳେ ବେଶ ଖୁସି ହୋଇଯାଆନ୍ତି । ସୁଭଦ୍ରା ୪ ବର୍ଷ ହେବ ଭାଇଙ୍କୁ ରାଖୀ ବାନ୍ଧୁଛନ୍ତି । ସୁଭଦ୍ରାଙ୍କ ପାଇଁ ରାଖୀ ପୂର୍ଣ୍ଣିମା ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । କାରଣ ଏହି ଦିନକୁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ ସୁଭଦ୍ରାଙ୍କୁ । ଏହି ଦିନ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।

ସମ୍ବନ୍ଧିତ ଖବର