ବରଗଡ଼ ଧନୁଯାତ୍ରା: ଶୁଭସ୍ତମ୍ଭ ସ୍ଥାପନ କଲେ ଜିଲ୍ଲାପାଳ, ୩୧ରୁ ୧୦ ଦିନିଆ ଯାତ୍ରା ଆରମ୍ଭ

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରବିବାର ସନ୍ଧ୍ୟାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଛି। ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ହାଟପଦା ସଞ୍ଜାର ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଉପସ୍ଥିତ ଥିଲେ। ଶୁଭସ୍ତମ୍ଭ ସ୍ଥାପନ ପୂର୍ବରୁ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭକୁ ସ୍ଥାପନ ପାଇଁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା। କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରା କମିଟିର ସଦସ୍ୟ ଓ ଜିଲ୍ଲା ପ୍ରଶାସନର କିଛି କର୍ମଚାରୀ ଉପସ୍ଥିତ ଥିଲେ।

ଆଗାମୀ ଡିସେମ୍ବର ୩୧ରୁ ଧନୁଯାତ୍ରା ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ନେତୃତ୍ୱରେ ପ୍ରସ୍ତୁତି ଚାଲିଛି। ପୂର୍ବରୁ ଧନୁଯାତ୍ରା ପାଇଁ କଂସ ଚୟନକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଚଳିତ ବର୍ଷ କଂସ ଏବଂ ଅନ୍ୟ କଳାକାରଙ୍କ ଚୟନ ହେବ ନାହିଁ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।

୧୧ ଦିବସୀୟ ଏହି ମହୋତ୍ସବ ଜାନୁଆରି ୧୦ ଯାଏ ଚାଲିବ। ଧନୁଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନ ଦିଆଯାଇଛି। ମହୋତ୍ସବରେ ସ୍ଥାନୀୟ କଳାକାର ଓ ବାହାର ରାଜ୍ୟର କଳାକାର ଭାଗ ନେବେ। ସେହିପରି ମୀନାବଜାର ଓ ଅନ୍ୟ ବ୍ୟବସାୟ ମେଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ସମ୍ବନ୍ଧିତ ଖବର