ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ରବି ମୁଗ ଫସଲ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଅଧିକାଂଣ ଜମିରେ ଜଉପୋକ ଲାଗିଥିବା ବେଳେ ଆବଶ୍ୟକ କୀଟନାଶକ ଔଷଧ ମିଳୁନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। କିଛିଦିନ ଧରି ପାଗ କୋହଲା ରହିବା ଫଳରେ ମୁଗଫସଲରେ ଜଉ ବଂଶବୃଦ୍ଧି ଘଟିଥିବା ଜଣାପଡ଼ିଛି। ଜଉପୋକ ଲାଗିବା ଫଳରେ କଅଁଳ ମୁଗ ପତ୍ର ଓ କାଣ୍ଡ ନଷ୍ଟ ହୋଇଗଲାଣି। ଗଛର ପତ୍ର ଲୋଚାକୋଚା ହୋଇଯାଉଛି। ଆଉ କିଛି ମୁଗଗଛ ହଳଦିଆ ପଡ଼ିଯାଉଥିବା ଚାଷୀମାନେ କହିଛନ୍ତି। ବ୍ଲକ କୃଷି ବିଭାଗ ପକ୍ଷରୁ ରିହାତି ମୂଲ୍ୟରେ ଚାଷୀଙ୍କୁ କୀଟନାଶକ ଯୋଗାଇ ଦେବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। ଯାହାଫଳରେ ଚାଷୀମାନେ ଖୋଲା ବଜାରରୁ ଅଧିକ ଚଢ଼ା ଦରରେ କୀଟନାଶକ କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜଉପୋକ ନିରାକରଣ ନେଇ କୌଣସି ପରାମର୍ଶ ଦେଉ ନଥିବା ଅଭିଯୋଗ ହେଉଛି।‌ ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରଣପୁର ଗାମର ମୁଗଚାଷୀ ପ୍ରଫୁଲ୍ଲ ସେନାପତି ଓ ବିନୋଦ ପରିଡ଼ାଙ୍କ କହିବାନୁଯାୟୀ ଗତ ଦୁଇବର୍ଷ ହେଲା ଅମଳ ସମୟରେ ଫନି ଓ ଲଗାଣ ବର୍ଷା ଲାଗି ରହିବା ଯୋଗୁ ମୁଗ ଫସଲ ଉଜୁଡ଼ି ଯାଇଥିଲା।

Advertisment

publive-image Sambad

ଏବର୍ଷ ମୁଗଫସଲ ଭଲ ହୋଇଥିଲେ ହେଁ, ଔଷଧ ଦୋକାନରେ ଆବଶ୍ୟକ କୀଟନାଶକ ମିଳୁନାହିଁ। ତେଣୁ ରବି ଫସଲ ଜଉ ମୁହଁରେ ଯିବା ପରିସ୍ଥିତି ସୃଷ୍ଟି ହୋଇଛି। ପତ୍ର ଉପର ସଫା ଦେଖାଯାଉଥିଲେ ହେଁ ତଳପାର୍ଶ୍ବରେ ଜଉପୋକ ଧରିଛନ୍ତି। ଅନ୍ୟପକ୍ଷରେ କୃଷି କାର୍ଯ୍ୟାଳୟରେ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଅଧିକାଂଶ ସମୟରେ ଦେଖିବାକୁ ମିଳୁନଥିବାରୁ ପରାମର୍ଶ ପାଇଁ ଯାଉଥିବା ଚାଷୀମାନେ ନିରାଶ ହୋଇ ଫେରୁଥିବା କହିଛନ୍ତି। କୀଟନାଶକ ଯୋଗାଣ ସଂପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କୁ ପଚାରିବାରେ କୃଷି ବିଭାଗ କାର୍ଯ୍ୟାଳୟରେ ଆଧାର କାର୍ଡ଼ ଓ ଜମିପଟା ପ୍ରମାଣପତ୍ର ଦେଖାଇ ପରମିଟ ନେଇ ସିଧାସଳଖ ଔଷଧ ଦୋକାନରୁ ୫୦ ପ୍ରତଶତ ରିହାତି ପାଇପାରିବେ ବୋଲି କହିଛନ୍ତି। ହେଲେ ଅଧିକାଂଶ ଚାଷୀ ଏବିଷୟରେ କିଛି ଜାଣିନଥିବାରୁ ରିହାତି ଅର୍ଥ ପାଇପାରୁ ନଥିବା ସୂଚନା ମିଳିଛି।