ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର ‌ଯୋଜନା ନିର୍ବାଚନ ପାଖେଇ ଆସିଲେ ଏହାକୁ ନେଇ ରାଜନୀତି ସରଗରମ ହୋଇଥାଏ। ସଫଳତା, ବିଫଳତାକୁ ନେଇ ପରସ୍ପର ଆରୋପ-ପ୍ରତ୍ୟାରୋପ ଚାଲେ। ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସର ଦିଶା ବୈଠକରୁ ଏହା ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ରାଜନୈତିକ ନେତାଙ୍କ ମଧ୍ୟରେ ଏଭଳି ଟଣାଓଟଣା ପରେ ମଧ୍ୟ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାର ସଫଳତା ଶତ ପ୍ରତିଶତ ହୋଇ ପାରିନାହିଁ। ବିଭାଗୀୟ ତଥ୍ୟାନୁସାରେ, ୭ ବର୍ଷ ପରେ ଏହି ଯୋଜନାର ସଫଳତା କେବଳ ୭୨ ପ୍ରତିଶତ ରହିଛି।

Advertisment

ଖୋର୍ଦ୍ଧା ଜିଲ୍ଲାରେ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ବର୍ଷ ମୋଟ ୧୯ଟି ଘର ମଧ୍ୟରୁ ଟାଙ୍ଗୀ ବ୍ଲକ ନିମନ୍ତେ ୧୫, ଜଟଣୀ ଓ ବାଲିପାଟଣା ବ୍ଲକ ନିମନ୍ତେ ୨ଟି ଲେଖାଏଁ ଘର ମିଳିଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୮୩୨୩ଟି, ୨୦୧୮-୧୯ରେ ୪୬୮୪, ୨୦୧୯-୨୦ରେ ୨୫୯୬, ୨୦୨୦-୨୧ରେ ୨୫୩୫, ୨୦୨୧-୨୨ରେ ୩୪୩, ୨୦୨୨-୨୩ରେ ୨୦୨ ଓ୨୦୨୩-୨୪ରେ ୧୧ଟି ଘର ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା-ଗ୍ରାମୀଣରେ ବର୍ତମାନ ସୁଦ୍ଧା ଜିଲ୍ଲାକୁ ୨୫୬୫୯ଟି ଗୃହ ଅନୁଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫୪୭୯ଟି ଘର ଶେଷ କରିବା ଓ ଦ୍ବିତୀୟ ପର୍ଯ୍ୟାୟରେ ୯୯୮୫ଟି ଘର ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ମଧ୍ୟରୁ ବ୍ୟାଙ୍କ ଖାତା ଯାଞ୍ଚ ପରେ ୨୫ ୨୨୬ଟି ଘରକୁ କାର୍ଯ୍ୟାଦେଶ ମିଳିଥିଲା।

ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୭୧୩ଟି ଘର ସମ୍ପୂର୍ଣ୍ଣ ହୋଇଛି। ବାଲିଅନ୍ତାରେ ଅନୁଦିତ ୫୩୫ରୁ ୩୯୨, ବାଲିପାଟଣାରେ ୭୦୪ରୁ ୫୧୩, ବାଣପୁର ବ୍ଲକରେ ୨୬୩୬ରୁ ୧୮୦୧, ବେଗୁନିଆରେ ୬୨୦୩ରୁ ୪୮୭୧, ଭୁବନେଶ୍ବର ବ୍ଲକରେ ୩୩୧ରୁ ୧୨୫, ବୋଲଗଡ଼ରେ ୪୫୫୭ରୁ ୩୫୨୯, ଚିଲିକାରେ ୧୮୧୩ରୁ ୧୧୯୮, ଜଟଣୀ ବ୍ଲକରେ ୧୦୪୪ରୁ ୮୧୨, ଖୋର୍ଦ୍ଧା ବ୍ଲକରେ ୨୫୪୫ରୁ ୧୭୫୬ ଓ ଟାଙ୍ଗୀ ବ୍ଲକରେ ୪୮୫୮ରୁ ୩୭୧୬ ଟି ଘର ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟାଦେଶ ପାଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ମହିଳାଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିବା ସଂଖ୍ୟା ୩୮.୧୧ ପ୍ରତିଶତ ଥିବା ବେଳେ କେବଳ ପୁରୁଷଙ୍କୁ ଦିଆ ଯାଇଥିବା କାର୍ଯ୍ୟାଦେଶ ସଂଖ୍ୟା ୩୦.୨୪ ପ୍ରତିଶତ ଓ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ନାମରେ ଦିଆଯାଇଥିବା କାର୍ଯ୍ୟାଦେଶ ସଂଖ୍ୟା ୩୧.୬୫ ପ୍ରତିଶତ। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ସଫଳତା ହାର ହ୍ରାସ ପାଇବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିୟମାନୁସାରେ, କାର୍ଯ୍ୟାଦେଶ ପାଇବାର ୩୦୦ ଦିନ ମଧ୍ୟରେ ଶେଷ ହେବା କଥା, କିନ୍ତୁ ଜିଲ୍ଲାରେ ଏହା ଅତିରିକ୍ତ ୧୦୦ରୁ ୨୦୦ ଦିନ ବୃଦ୍ଧି ପାଉଛି। ସାଧାରଣ ବର୍ଗର ହିତାଧିକାରୀଙ୍କ କ୍ଷେତ୍ରରେ ଏକ ଘର ସମ୍ପୂର୍ଣ୍ଣ ହେବାକୁ ହାରାହାରି ୪୦୮ ଦିନ ଲାଗୁଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଏହା ୪୩୬, ଅନୁସୂଚିତ ଜାତିଙ୍କ କ୍ଷେତ୍ରରେ ୫୦୯ ଓ ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ୪୫୦ ଦିନ ସମୟ ଲାଗୁଛି।