ରାଉରକେଲା,: ଆରମ୍ଭ ହେଲାଣି ବର୍ଷା। ତଥାପି ସରୁନି ଆର୍‌ଏମ୍‌ସି ଡ୍ରେନ୍‌ କାମ। କେଉଁଠି ଚାଲିଛି, ଅନ୍ୟ କେଉଁଠି ଅଧପନ୍ତରିଆ ହୋଇ ପଡ଼ିଛି। ଅସଜଡା ଡ୍ରେନ୍‌, ସଫେଇ କାମକୁ ନେଇ ଚିନ୍ତାରେ ରହୁଛନ୍ତି ଉଭୟ କଲୋନି ଓ ବସ୍ତିବାସିନ୍ଦା। ନିର୍ଦ୍ଧାରିତ ସମୟ ପୂର୍ବରୁ ସଫେଇ ଓ ମରାମତି କାମ ସରି ନଥିବାରୁ ସହର ତଳି ଅଞ୍ଚଳବାସୀଙ୍କୁ ଘାରିଲାଣି କୃତିମ ବନ୍ୟା ଚିନ୍ତା। ଗୋଟିଏ ପଟେ ଅସଜଡ଼ା ଡ୍ରେନ ଓ ଅନ୍ୟପଟେ ନିମ୍ନମାନର ସ୍ବରେଜ କାମ ସହରବାସୀଙ୍କୁ ସମସ୍ୟାରେ ପକାଇବ ନିଶ୍ଚିତ। କାରଣ ଯେଉଁସବୁ ସ୍ଥାନରେ ସ୍ବରେଜ କାମ ହୋଇଛି, ସେଠି ଏବେ ମଇଳା ପାଣି ରାସ୍ତା ଉପରେ ଭାସୁଛି। ଲଗାଣ ବର୍ଷାରେ ସ୍ଥିତି ଆହୁରି ସଙ୍ଗୀନ ହେବାର ସମ୍ଭାବନା ରହିଛି। ସହରର ସିଭିଲଟାଉନ୍‌ସିପ୍‌, ବାସନ୍ତି କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର ସମେତ ଅନ୍ୟାନ୍ୟ ସ୍ଥାନରେ ଏବେ ବି ଡ୍ରେନ୍‌ କାମ ଚାଲିଛି। ପୁଣି କେଉଁଠି କାମ ସରିଥିଲେ ଡ୍ରେନ୍‌ ପୋତି ହୋଇ ପଡିଛି। ଅନେକ ସଂସ୍ଥାରେ ଆଜି ପର୍ଯ୍ୟନ୍ତ ଡ୍ରେନ୍‌ ମଧ୍ୟ ସଫେଇ ହୋଇନି।

Advertisment

ଠିକାସଂସ୍ଥାର ଏଭଳି କାମ ପ୍ରତିବାଦରେ ସହରବାସୀ ଅନେକବାର ସ୍ବର ଉତ୍ତୋଳନ କରିଛନ୍ତି। ଫଳ କିନ୍ତୁ ଶୂନ୍‌। ଅନୁରୂପ ଭାବେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ୪୦ ୱାର୍ଡରେ ମୋଟ ୧୫୦ରୁ ପ୍ରମୁଖ ଡ୍ରେନ୍‌ ରହିଛି। ଏଥିସହ କଲୋନି ଓ ବସ୍ତିରେ ରହିଛି ‌ଶହ ଶହ ଛୋଟ ଡ୍ରେନ୍‌। ଆର୍‌ଏମ୍‌ସି ୱାର୍ଡ ନଂ ୧ରେ ୭ଟି, ୨ ନଂ ୱାର୍ଡରେ ୪ଟି, ୩ନଂ ୱାର୍ଡରେ ୫ଟି, ୪ନଂ ୱାର୍ଡରେ ୮ଟି, ୫ ନଂ ୱାର୍ଡରେ ୩ଟି, ୬ ନଂ ୱାର୍ଡରେ ୫ଟି, ୭ ନଂ ୱାର୍ଡରେ ୬ଟି, ୮ ନଂ ୱାର୍ଡରେ ୩ଟି, ୯ନଂ ୱାର୍ଡରେ ୮ଟି, ୧୦ ନଂ ୱାର୍ଡରେ ୨ଟି, ୧୧ ନଂ ୱାର୍ଡରେ ୪ଟି, ୧୨ ନଂ ୱାର୍ଡରେ ୨ଟି, ୧୩ନଂ ୱାର୍ଡରେ ୭ଟି ,୧୪ ନଂ ୱାର୍ଡରେ ୪ଟି, ୧୫ ନଂ ୱାର୍ଡରେ ୪ଟି, ୧୬ ନଂ ୱାର୍ଡରେ ୨ଟି, ୧୭ ନଂ ୱାର୍ଡରେ ୨ଟି ପ୍ରମୁଖ ଡ୍ରେନ୍‌ ରହିଛି। ଅନୁରୂପ ଭାବେ ୧୮ ନଂ ୱାର୍ଡରେ ୨ଟି, ୧୯ ନଂ ୱାର୍ଡରେ ୩ଟି, ୨୦ନଂ ୱାର୍ଡରେ ୩ଟି, ୨୧ ନଂ ୱାର୍ଡରେ ୩ଟି, ୨୨ନଂ ୱାର୍ଡରେ ୩ଟି, ୨୩ନଂ ୱାର୍ଡରେ ୪ଟି, ୨୪ନଂ ୱାର୍ଡରେ ୩ଟି, ୨୫ନଂ ୱାର୍ଡରେ ୩ଟି, ୨୬ ନଂ ୱାର୍ଡରେ ୨ଟି, ୨୭ ନଂ ୱାର୍ଡରେ ଗୋଟିଏ , ୨୮ନଂ ୱାର୍ଡରେ ୩ଟି, ୨୯ନଂ ୱାର୍ଡରେ ୨ଟି, ୩୦ ନଂ ୱାର୍ଡରେ ୩ଟି, ୩୧ ନଂ ୱାର୍ଡରେ ୪ଟି, ୩୨ ନଂ ୱାର୍ଡରେ ୪ଟି, ୩୩ ନଂ ୱାର୍ଡରେ ଗୋଟିଏ ପ୍ରମୁଖ ଡ୍ରେନ୍‌ ରହିଛି।

ପ୍ରତିବର୍ଷ ସଫେଇ ଓ ମରାମତି ବାବଦରେ କ‌ୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବର୍ଷା ଦିନ ସହରବାସୀଙ୍କୁ ସମଦଶା ଭୋଗିବାକୁ ପଡ଼ୁଛି। ଛୋଟ ବଡ଼ ଡ୍ରେନ ସଫେଇ, ମରାମତି କାମ କଚ୍ଛପ ଗତିରେ ଚାଲିଛି। କେଉଁଠି ଆଦୌ ସଫେଇ ହୋଇ ନାହିଁ ତ ପୁଣି କେଉଁଠି ଅଧପନ୍ତରିଆ ହୋଇ ପଡିଛି। ଅଧିକାଂଶ ୱାର୍ଡର ଗୁଡ଼ିକର ଛୋଟ, ବଡ, ପ୍ରମୁଖ ଡ୍ରେନ୍‌ ସେଫଇ ଅଭାବରୁ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ସହରର ମାଲଗୋଦାମ କାଳୀ ମନ୍ଦିର, ବାସନ୍ତିକଲୋନି ବିହାର ସାଂସ୍କୃତିକ ପରିଷଦ, କଳିଙ୍ଗ ବିହାର ହନୁମାନ ମନ୍ଦିର ଏମିତି ୪୦ଟି ପ୍ରମୁଖ ଡ୍ରେନ ରହିଛି। ଏଥିରୁ ଅଧିକାଂଶ ପ୍ରମୁଖ ଡ୍ରେନ୍‌ର ସେହି ସମାନ ଅବସ୍ଥା। କେଉଁଠି ମରାମତି ଚାଲିଛି ତ ପୁଣି କେଉଁଠି ସଫେଇ ଅଭାବରୁ ସେମିତି ଅଳିଆ ଆବର୍ଜନା ପୂର୍ଣ୍ଣ ରହିଛି। ଛୋଟ ଛୋଟ ଡ୍ରେନଗୁଡ଼ିକରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି। ବାସନ୍ତି କଲୋନି, ଛେଣ୍ଡ କଲୋନି, ସିଭିଲଟାଉନସିପ୍‌, ଶକ୍ତିନଗର, କୋଏଲନଗର, କଳିଙ୍ଗ ବିହାର ସମେତ ସହର ପ୍ରମୁଖ ମାର୍କେଟରେ ଅଧପନ୍ତରିଆ ସ୍ବରେଜ କାମ ଡ୍ରେନ ମରାମତି ଓ ସଫେଇ କାମରେ ବାଧକ ସାଜିଛି। ଅନ୍ୟପଟ ପ୍ରମୁଖ ଡ୍ରେନଗୁଡ଼ିକୁ ସଂଯୋଗ କରୁଥିବା ଛୋଟ ବଡ ଡ୍ରେନ୍‌ର ସଫେଇ କାମ ଶେଷ ହୋଇଥିବାରୁ ତଳି ଅଞ୍ଚଳ ଘରଗୁଡ଼ିକରେ ଅଳିଆ ଆବର୍ଜନା ପାଣି ଉବୁଟୁବୁ ହେବାର ସମ୍ଭାବନା ରହିଛି। ବେଶି ଚିନ୍ତା ବଢ଼ାଇଛି କେତେକ ୱାର୍ଡର ପ୍ରମୁଖ କଲୋନୀରେ ଚାଲିଥିବା ଡ୍ରେନ ନିର୍ମାଣ କାମ। ଠିକା ସଂସ୍ଥାଗୁଡ଼ିକ ପକ୍ଷରୁ ଚାଲିଥିବା ନିର୍ମାଣ ସରି ନାର୍ହି। କେବେ ସରିବ କାହାରି ପାଖରେ ଉତ୍ତର ନାହିଁ। ତଳିଆ ଅଞ୍ଚଳବାସୀଙ୍କୁ କୃତିମବନ୍ୟା କଷ୍ଟରୁ ମୁକ୍ତି ଚାଲିଥିବା କାମକୁ ଶୀଘ୍ର ଶେଷ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।