ବଣାଇଁରେ ଖୋଲିଲା “ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ମାଗଣାରେ କୋଚିଂ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା “ସୁଦକ୍ଷ’ କୋଚିଂ କେନ୍ଦ୍ର । ସୁନ୍ଦରଗଡ଼ ଓ ରାଉରକେଲା ପରେ ଏହା ହେଉଛି ସୁଦକ୍ଷର ତୃତୀୟ କେନ୍ଦ୍ର । ଗୁରୁବାର ଦିନ ବଣାଇଁ ଦେଓଗାଁଠାରେ ଏହି କୋଚିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ । ଏହି କାର୍ଯ୍ୟକ୍ରମରେ ବଣାଇଁ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଲଲାଟେନ୍ଦୁ ଲୋହା ଉପସ୍ଥିତ ଥିଲେ ।

‘ସୁଦକ୍ଷ’ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୁଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି । କୋଚିଂ ସହ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା, ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା “ସୁଦକ୍ଷ’ କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ଦିଆଯିବ । ବଣାଇଁ କେନ୍ଦ୍ରରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରରୁ କୋଚିଂ ନେଇ ଶିକ୍ଷିତ ଯୁବକ ଯୁବତୀମାନେ ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶା ରହିଛି”, କହିଛନ୍ତି ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ।

ବଣାଇଁ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ “ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି “ସୁଦକ୍ଷ’ର ମୂଳ ଲକ୍ଷ୍ୟ ।

ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି । ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ । ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର