ଆତ୍ମହତ୍ୟା ଧମକ ଦେଇ ପତ୍ନୀକୁ ଛାଡ଼ପତ୍ର କରାଇ ନେବା ମାମଲା: ସ୍ବାମୀ ସମେତ ପରିବାର ଲୋକ ଫେରାର

ମହିଳା ମହାସଂଘ ସହାୟତାରେ ଘରେ ପଶିଲେ ମହିଳା

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ବସନ୍ତପୁର ଗ୍ରାମର ସନ୍ତୋଷ କୁମାର ମୁଦୁଲି ଏବଂ ପତ୍ନୀ ସ୍ବର୍ଣ୍ଣଲତା ପରିଡ଼ାଙ୍କ ଛାଡ଼ପତ୍ର ମାମଲା ଏବେ ଭିନ୍ନମୋଡ଼ ନେଇଛି। ପତ୍ନୀ ସ୍ବର୍ଣ୍ଣଲତା ଛାଡ଼ପତ୍ର ଖାରଜ ନେଇ ଅଦାଲତ ଏବଂ ଧଉଳି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏସଂପର୍କିତ ମାମଲା କୋର୍ଟରେ ବିଚାରାଧୀନ ଅଛି। ଆଜି ସ୍ବର୍ଣ୍ଣଲତା ବାପଘର ଲୋକ ଓ ମହିଳା ମହାସଂଘ ସହାୟତାରେ ତାଙ୍କ ଶାଶୁଘରକୁ ପଳାଇ ଆସିଥିବା ଜଣାପଡ଼ିଛି। ସ୍ବର୍ଣ୍ଣଲତା ବାପଘର ଲୋକ ଏବଂ ମହିଳା ମହାସଂଘ  ଆସୁଥିବା ସଂପର୍କରେ ଖବର ପାଇ ସ୍ବାମୀ ସନ୍ତୋଷ, ଶାଶୁ, ଶ୍ବଶୁର ଓ ନଣନ୍ଦ ଘରୁ ଫେରାର ହୋଇଯାଇଥିଲେ।

ସ୍ବର୍ଣ୍ଣଲତାଙ୍କ ସହିତ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ସାହୁ ଏବଂ ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ଜେନାଙ୍କ ସମେତ ଗ୍ରାମ ମୁରବି ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ  କିଛି ସଂପର୍କୀୟଙ୍କ ସହିତ ସ୍ବର୍ଣ୍ଣଲତା ଶାଶୁଘରେ ରହିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ସ୍ବାମୀ ଏବଂ ତାଙ୍କର ପରିବାର ଲୋକ ଘରକୁ ଫେରିନଥିବା ଜଣାପଡ଼ିଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ ବାଲିଅନ୍ତା ଥାନା ଅଧୀନ ବେଣୁପୁର ଗ୍ରାମର ଯୋଗେନ୍ଦ୍ର ପରିଡ଼ାଙ୍କ ଝିଅ ସ୍ବର୍ଣ୍ଣଲତା ପରିଡ଼ା (୨୯) ୨୦୧୯ ମସିହା ମାର୍ଚ୍ଚମାସ ୨୭ ତାରିଖରେ ବସନ୍ତପୁରଶାସନ ଗ୍ରାମର କୈଳାଶ ମୁଦୁଲିଙ୍କ ପୁଅ ସନ୍ତୋଷ କୁମାର ମୁଦୁଲି(୩୯)ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରଘରର ଦାବି ମୁତାବକ କନ୍ୟାଘର ପକ୍ଷରୁ ନଗଦ ଯୌତୁକ ଟଙ୍କା ଏବଂ ସୁନାଗହଣା ସମେତ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ହେଲେ ବିବାଘରର ମାତ୍ର ଅଳ୍ପ କିଛିଦିନ ପରେ ସେମାନଙ୍କ ଦାମ୍ପତ୍ତ୍ୟ ଜୀବନରେ ଝଡ଼ ଉଠିଥିଲା। ସ୍ବାମୀ ଏବଂ ଶାଶୁଘର ଲୋକ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି।

ମାଡ଼ଗାଳି ଖାଇବା ସତ୍ବେ ସ୍ବର୍ଣ୍ଣଲତା ଶାଶୁଘରୁ ଗୋଡ଼ କାଢ଼ିନଥିଲେ। ହେଲେ ୩ମାସ ତଳେ ତାଙ୍କ ସ୍ବାମୀ ନିଜ ବେକରେ ଛୁରା ଲଗାଇ ଆତ୍ମହତ୍ୟା ଧମକ ଦେବା ସହ ଚାପ ପକାଇ କୋର୍ଟରେ ଛାଡ଼ପତ୍ର କରାଇ ନେଇଥିଲେ। ହେଲେ ତାଙ୍କୁ ଯୌତୁକ ସାମଗ୍ରୀ ଫେରାଇ ନଥିଲେ କିମ୍ବା ଭରଣପୋଷଣ ନେଇ କିଛି ବ୍ୟବସ୍ଥା କରିନଥିଲେ। ଛାଡ଼ପତ୍ର ପରେ ତାଙ୍କୁ ମାଡ଼ମାରି ଘରୁ ତଡ଼ି ଦେଇଥିଲେ। ଶେ‌ଷରେ ସ୍ବର୍ଣ୍ଣଲତା ନିରାଶ ହୋଇ ଘରକୁ ‌ବାପଘରକୁ ପଳାଇ ଆସିଥିଲେ। ଏହାପରେ ସ୍ବର୍ଣ୍ଣଲତା ଗୁରୁବାର ଗ୍ରାମ ମହିଳା ମଞ୍ଚ ଏବଂ ଗ୍ରାମବାସୀଙ୍କ ସହାୟତାରେ ପୁଣି ଶାଶୁଘରକୁ ଫେରି ଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

 

ସମ୍ବନ୍ଧିତ ଖବର