ସୁକତେଲ୍ ନଦୀ ଶଯ୍ୟାରେ ପୁରାତନ ମନ୍ଦିର ଅବଶେଷ; କାରୁକାର୍ଯ୍ୟପୂର୍ଣ୍ଣ ଶିଳାଖଣ୍ଡ ଉଦ୍ଧାର

ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଦେଇ ଯାଇଥିବା ସୁକତେଲ ନଦୀର ଗୋପାଳପୁର ଛେଲବାହାଲ ସୀମାନ୍ତ ନଦୀ ଗର୍ଭରୁ ଏକ ପୁରାତନ ମନ୍ଦିରର ଅବଶେଷ ଉଦ୍ଧାର ହୋଇଛି। ଏହି ବିରଳ ଶିଳାଖଣ୍ଡଗୁଡିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହା କୌଣସି ପୁରାତନ ମନ୍ଦିରର ଭଗ୍ନାଂଶ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ପ୍ରତ୍ନତତ୍ବ ବିଭାଗ ଏହାର ଅନୁସନ୍ଧାନ କଲେ ଏହାର ଉପଯୁକ୍ତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ସୂଚନା ମୁତାବକ କିଛିଦିନ ତଳେ ଏଠାରେ ଥିବା ବାଲି ମୁହାଣରୁ ଜେସିବି ଯୋଗେ ବାଲି କଢ଼ାଯାଉଥିବା ସମୟରେ ହଠାତ୍ ବଡ଼ ବଡ଼ ପଥରମାନ ବାହାରିଥିଲା। ପ୍ରାୟ ଦୁଇରୁ ତିନି ଫୁଟ୍ ଉଚ୍ଚର ପଥର ସବୁ ବାହାରକୁ ଦେଖାଯାଇଥିଲା। ତେବେ କେତେକ ବ୍ୟକ୍ତି ଉକ୍ତ ପଥରଗୁଡିକୁ ବାଲି ଭିତରୁ କାଢ଼ି ବାଲି ଉପରେ ରଖିଥିଲେ। ଉକ୍ତ ପଥରଗୁଡିକୁ ଅନୁମାନ କଲେ ରାଣିପୁର ଝରିଆଲ କିମ୍ବା କୋଣାର୍କ ମନ୍ଦିର ପରି କାରୁକାର୍ଯ୍ୟ ଦେଖାଯାଉଛି। ଏପରିକି ଆହୁରି ପଥର ମଧ୍ୟ ପାଣି ଭିତରେ ପୋତି ହୋଇ ରହିଛି ଯାହା ପାଣି ଉପରୁ ସାମାନ୍ୟ ଦେଖାଯାଉଛି ଓ ଏହା କୌଣସି ମନ୍ଦିରର ଗର୍ଭଗୃହ ଭଳି ଜଣାପଡୁଛି। ସ୍ଥାନୀୟ କିଛି ବୟଜ୍ୟେଷ୍ଠ ଲୋକଙ୍କ କହିବା ଅନୁସାରେ ଖ୍ରୀଷ୍ଟାବ୍ଦ ଅଷ୍ଟମରୁ ଦ୍ବାଦଶ ଶତାବ୍ଦୀରେ ପାଟଣା ରାଜବଂଶ ଦ୍ବାରା ବିଭିନ୍ନ ସ୍ଥାନରେ ଅନେକ ଶୈବପୀଠ ଓ ଶକ୍ତିପୀଠମାନ ସ୍ଥାପିତ ହୋଇଥିଲା। ଅଷ୍ଟମ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ଥିବା ସେମାନେ ତାଙ୍କ ପୂର୍ବଜମାନଙ୍କ ମୁହଁରୁ ଶୁଣିଛନ୍ତି। ତେବେ ଛେଲବାହାଲ ଗ୍ରାମର ଯୁବ ଗବେଷକ ଶିବାନନ୍ଦ କର୍ମୀ ଉକ୍ତ ଶିଳାଗୁଡିକର ଫଟୋଗୁଡିକୁ ରାଜ୍ୟ ସରକାରଙ୍କୁ ଟୁଇଟ୍ ମାଧ୍ୟମରେ ଜଣାଇଥିବା କହିଛନ୍ତି। କେହି କେହି ଏଠାରୁ ପଥରଖଣ୍ଡମାନ ନେଇଯାଉଥିବାରୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର