ତିଗିରିଆ: ତିଗିରିଆ ଥାନା ଭିରୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭିରୁଡ଼ା ଉପରଗଡ଼ ଛକସ୍ଥିତ ଏଟିଏମ୍ ସମ୍ମୁଖରେ ଗତ ଗୁରୁବାର ସନ୍ଧ୍ୟାରେ ନୃଶଂସ ଡବଲ ମର୍ଡର୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଜୀବନାନନ୍ଦ ମଲ୍ଲିକ ଓରଫ ଶୁକୁଟାକୁ ଆଜି କୋର୍ଟଚାଲାଣ କରାଯାଇଛି। ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ପୁରୀ ସ୍ୱର୍ଗଦ୍ୱାର ନିକଟରୁ ଶୁକୁଟାକୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି। ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟ୍ରକ୍କୁ ଆଇଆଇସି ଶ୍ରୀମତୀ ଜେନା ତାଳଚେରର ଏକ ଗ୍ୟାରେଜ୍ରୁ ଜବତ କରିଥିଲେ ବୋଲି ଆଜି ଅପରାହ୍ନରେ ତିଗିରିଆ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତଥା ଘଟଣାର ତଦନ୍ତକାରୀ ଅଧିକାରୀ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।
ଶ୍ରୀ ବିଶିଙ୍କ ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପରଗଡ଼ ଛକ ନିକଟ ଏଟିଏମ୍ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ପୂର୍ବଶତ୍ରୁତାରୁ ଗରପଡ଼ା ଶବରସାହିର ଶରତ ଦେହୁରୀ ଓ ତାଙ୍କ ଭାଇ ଲକ୍ଷ୍ମଣ ଦେହୁରୀଙ୍କୁ ଗ୍ରାମର ଜୀବନାନନ୍ଦ ମଲ୍ଲିକ ଓରଫ ଶୁକୁଟା, ଜିତୁ ମଲ୍ଲିକ, ମିହିର ମଲ୍ଲିକ, ରାଜୁ ମଲ୍ଲିକ, ରସାନନ୍ଦ ସାହୁ ଓ ସେମାନଙ୍କ ସହଯୋଗୀ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଶରତ ଓ ଲକ୍ଷ୍ମଣଙ୍କ ମୃତଦେହ ଉପରେ ଅଭିଯୁକ୍ତ ଜିତୁ ଓ ରାଜୁ ଟ୍ରକ୍ ଚଢ଼ାଇ ଦେଇଥିଲେ। ହତ୍ୟାକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏହାର ଦୃଶ୍ୟ ନିକଟରେ ଥିବା ଏଟିଏମ୍ରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା। ତିଗିରିଆ ପୁଲିସ ଉକ୍ତ ଦୃଶ୍ୟ ଉଦ୍ଧାର କରିଥିଲା। ସେହିପରି ମୁଖ୍ୟ ଅଭିଯୁକ୍ତ ଶୁକୁଟାକୁ ଗତକାଲି ପୁରୀ ସ୍ୱର୍ଗଦ୍ୱାର ନିକଟରୁ ଆଇଆଇସି ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ବିଶି ସୂଚନା ଦେଇଛନ୍ତି। ଏଥିପାଇଁ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଏସ୍ଡିପିଓ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/TIGIRIA-MURDER-CASE-ARREST-NEWS_6.jpg)