ନୂଆଦିଲ୍ଲୀ: ଚଳିତବର୍ଷର ଗ୍ରୀଷ୍ମପ୍ରବାହ ସବୁଠୁ ଅଧିକ ମାରାତ୍ମକ ହେବାରେ ଲାଗିଛି। ବିଶେଷକରି ଭାରତର ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଭୟଙ୍କର ଗ୍ରୀଷ୍ମପ୍ରବାହ ଜାରି ରହିଛି। ସାରା ଦେଶରେ ୪୦ ହଜାରରୁ ଅଧିକ ଅଂଶୁଘାତ ମାମଲା ସାମ୍ନାକୁ ଆସିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସମଗ୍ର ଭାରତରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସମଗ୍ର ଏସିଆରେ କୋଟି କୋଟି ଲୋକ ଏହି ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ସହ ସଂଘର୍ଷ କରୁଛନ୍ତି, ଯାହାକୁ ବୈଜ୍ଞାନିକମାନେ ମାନବଜନିତ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଉତ୍ତର ଭାରତରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇଛି ଏବଂ ସବୁଠାରୁ ଲମ୍ବା ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି। ଉତ୍ତର ଭାରତରେ ଦୀର୍ଘ ଦିନ ଧରି ଗ୍ରୀଷ୍ମପ୍ରବାହ ଯୋଗୁଁ ଗରମ ଜନିତ ରୋଗରେ ଭୟଙ୍କର ଭାବେ ବୃଦ୍ଧି ଘଟିଛି।

Advertisment

ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିୟାଣାର କେତେକ ସ୍ଥାନରେ ଗରମ ଯୋଗୁଁ ଆକାଶମାର୍ଗରୁ ପକ୍ଷୀ ଖସି ପଡ଼ିଥିବା ସୂଚନା ମିଳିଛି।
ଉତ୍ତର-ପଶ୍ଚିମ ଭାରତରେ ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବାରୁ ହସ୍ପିଟାଲଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାର୍ଚ୍ଚ ପହିଲାରୁ ଜୁନ୍ ୧୮ ମଧ୍ୟରେ ୪୦,୦୦୦ରୁ ଅଧିକ ସନ୍ଦିଗ୍ଧ ଅଂଶୁଘାତ ମାମଲା ଏବଂ ଅତି କମ୍‌ରେ ୧୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ମେ ମାସରେ ମଧ୍ୟପ୍ରଦେଶରେ ଅଂଶୁଘାତର ୫,୨୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ରାଜସ୍ଥାନରେ ଗତ ମାସରେ ୪,୩୦୦ରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା। ଏହି ସମୟ ମଧ୍ୟରେ ଦିଲ୍ଲୀରେ ଗ୍ରୀଷ୍ମଜନିତ ସମସ୍ୟା ଯୋଗୁଁ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନଏଡାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ଗ୍ରୀଷ୍ମଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଦେଶବ୍ୟାପୀ ସ୍ଥିତି ଓ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେହିପରି ଆସାମରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ମଙ୍ଗଳବାର ରାତିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଚଳିତ ସପ୍ତାହ ପାଇଁ ମଣିପୁର, ଆସାମ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ସମେତ ଉତ୍ତରପୂର୍ବ ରାଜ୍ୟପାଇଁ ବର୍ଷା ସତର୍କ ସୂଚନା ଜାରି କରିଛି। ଆସାମରେ ବ୍ରହ୍ମପୁତ୍ର ନଦୀର ଅନ୍ୟତମ ବୃହତ୍ତମ ଶାଖା ନଦୀ କୋପିଲିରେ ବନ୍ୟାଜଳ ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ୧,୬୦,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।