ଚଳିତ ଗ୍ରୀଷ୍ମରେ ମେଗା ପାନୀୟ ଜଳ ପ୍ରକଳ୍ପରୁ କୋରାପୁଟ ଜିଲ୍ଲା ୩ବ୍ଲକର ବାସିନ୍ଦାଙ୍କୁ ମିଳିବନି ପିଇବା ପାଣି

ନିର୍ମାଣାଧୀନ ଅଛି ଜଳବିଶୋଧନ ପ୍ଲାଣ୍ଟ; ବ୍ରେକ୍‌ ପ୍ରେସର ଓ ଓଭର ହେଡଡ୍ ପାଣି ଟ୍ୟାଙ୍କ

ଜୟପୁର: ଚଳିତ ମାର୍ଚ୍ଚରେ ମେଗା ପାନୀୟ ଜଳ ପ୍ରକଳ୍ପର କାମ ସରିବ। ଗ୍ରୀଷ୍ମ ଋତୁରେ ଏହି ପ୍ରକଳ୍ପ ଜରିଆରେ ପାନୀୟ ଜଳ ବୋରିଗୁମ୍ମା, କୋଟପାଡ ଓ ଜୟପୁର ବ୍ଲକ ବାସିନ୍ଦା ପାଇବା ଯେଉଁ ଆଶା ରଖିଥିଲେ ତାହା ନିରାଶ ପାଲଟିବାକୁ ଯାଉଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପର କାମ ସଂପୁର୍ଣ୍ଣ ହୋଇପାରିନି। ୩୧୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ଏହି ତିନି ବ୍ଲକରେ କରାଯିବାର ଲକ୍ଷ୍ୟ ରହିଥିଲା। ତିନି ବର୍ଷ ବିତିବା ପରେ ବି ଏହାର କାମ ସରିବା ନାଁ ନେଉନି। କରୋନା ଯୋଗୁଁ କାମ ବନ୍ଦ ରହିବା ଏବଂ ଆରମ୍ଭରୁ ହିଁ କାମ ମନ୍ଥର ଗତିରେ ଚାଲୁଥିବାରୁ କାମ ଯେଭଳି ଅଗ୍ରଗତି କରିବା କଥା ଏହା କରିପାରିନି।

୩ ବ୍ଲକରେ ୧୭୨୦ କିଲୋମିଟର ପାଇପ ବିଛା କାମ ମଧ୍ୟରୁ ୧୨୦୦ କିଲୋମିଟର ହିଁ ବିଛାସରିଛି। ଆଉ ୫୨୦ କିଲୋମିଟର ବାକି ରହିଛି। ସେଭଳି ମୁରାନଠାରେ ଜଳବିଶୋଧନ ପ୍ଲାଣ୍ଟ, କାଠରଗଡ଼ାରେ ବ୍ରେକ ପ୍ରେସର ଓ ବିଭିନ୍ନ ପଂଚାୟତରେ ଓଭର ହେଡଡ୍ ଟ୍ୟାଙ୍କ କାମ ବି ବାକି ରହିଛି। ଏପରି ସ୍ଥିତିରେ ଏହି ମାର୍ଚ୍ଚରେ ତିନି ବ୍ଲକର ଗାଁଗୁଡିକରେ ଯେଉଁ ପାଣି ଯୋଗାଇବା ଲକ୍ଷ୍ୟ ଫେଲ୍ ମାରିଛି। ଅନ୍ୟ ପକ୍ଷରେ କୋରନା ଯୋଗୁଁ ଠିକା କଂପାନୀକୁ କାମ ଶେଷ କରିବାକୁ ଆଉ ୫ମାସ ଅଧିକା ସମୟ ବି ଦିଆଯାଇଛି। ତେବେ ଯେତେ ପରିମାଣର କାମ ବାକି ରହିଛି ତାହା ଏହି ୫ମାସ ମଧ୍ୟରେ ଠିକା କଂପାନୀ ସାରିପାରିବ କି ବୋଲି ବିରାଟ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Sambad

ପ୍ରକାଶଯୋଗ୍ୟ, ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା ବ୍ଲକର ୨୯ଟି ପଞ୍ଚାୟତ, କୋଟପାଡ଼ ବ୍ଲକର ୧୭ଟି ପଞ୍ଚାୟତ ଏବଂ ଜୟପୁର ବ୍ଲକର ରାଣୀଗଡ, କେବିଡି, କୁମୁଲିପୁଟ, ପୁଜାରୀପୁଟ, ରଣ୍ଡାପାଲ୍ଲୀ, ଜୟନ୍ତଗିରୀ, ଜାମୁଣ୍ଡା ପଂଚାୟତର ୧୫୯୯ଟି ଗାଁର ୨ଲକ୍ଷ ୭୫ହଜାର ଜନ ସଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇବା ଯୋଜନା ରହିଛି। ପାଣି ବିଶୋଧନ ପ୍ଲାଣ୍ଟ ଓ ବ୍ରେକ୍ ପ୍ରେସର ଟ୍ୟାଙ୍କ ଓ ବିଭିନ୍ନ ପଂଚାୟତର ଓଭରହେଡଡ୍ ପାଣି ଟ୍ୟାଙ୍କର ନିର୍ମାଣ କାମ ୮୦ ପ୍ରତିଶତ ସରିଛି ବୋଲି କହିଛନ୍ତି ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଶଶିଭୁଷଣ ମିଶ୍ର। ସେହିଭଳି ୧୭୨୦କିଲୋ ମିଟର ପାଇପ ବିଛା ସ୍ଥାନରେ ୧୨୦୦କିଲୋ ମିଟର ବିଛା ସରିଛି।

ବିଭିନ୍ନ ପଂଚାୟତରେ ବି ଓଭରହେଡ୍ ପାଣି ଟ୍ୟାଙ୍କ ବି ନିର୍ମାଣାଧୀନ ରହିଛି। କରୋନା ଯୋଗୁଁ ଧାର୍ଯ୍ୟ ସମୟ ମାର୍ଚ୍ଚ ୨୦୨୧ରୁ ଅଗଷ୍ଠ ୨୦୨୧କୁ ବୃଦ୍ଧି କରାଯାଇଛି ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ସରିବ ବୋଲି ଆଶା ରହିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ଯଦି ୧୭୨୦ କିଲୋ ମିଟର ମଧ୍ୟରୁ ୧୨୦୦ କିଲୋ ମିଟର ପାଇପ ବିଛାଯିବା ପାଇଁ ତିନି ବର୍ଷ ଲାଗିଲା ୫୨୦କିଲୋମିଟର ୫ମାସ ମଧ୍ୟରେ ସରିବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର