ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ନର୍ଲା ଥାନା ବଡ଼ଭୁଣ୍ଡୁରି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅ ବାପାକୁ ହତ୍ୟା କରିବା ପରେ ଘର ଭିତରେ ଗାତ ଖୋଳି ପୋତି ଦେଇଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିନେଇଛି। ଅଭିଯୁକ୍ତ ନାମ ନାଭିଦତ୍ୟ ବାଗ୍ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ତିନି ତାରିଖ ଦିନ ବାପା ଜଗନ୍ନାଥ ବାଗ ଓ ପୁଅ ନାଭିଦତ୍ୟ ବାଗ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ତେବେ ରାଗ ସମ୍ଭାଳି ନ ପାରି ପୁଅ ନାଭିଦତ୍ୟା ତାର ବାପାକୁ ହତ୍ୟା କରିଥିଲା। କାଳେ କିଏ ଜାଣିଦେବ ସେଥିପାଇଁ ଘର ଭିତରେ ଗାତ ଖୋଳି ବାପାର ମୃତଦେହକୁ ସେଠାରେ ପୋତି ଦେଇଥିଲା। ଏହାପରେ ପୁଅ ସେହି କୋଠରୀକୁ ତାଲା ପକାଇ ବନ୍ଦ କରି ଦେଇଥିଲା।
ନାଭିଦତ୍ୟର ଭଉଣୀ ସେହି କୋଠରୀକୁ ଯେତେବେଳେ ଖୋଲିବାକୁ କହେ ଭାଇର ଗାଳିରେ ସେ ଚୁପ୍ ହୋଇ ରହି ଯାଇଥାଏ। ଏହାପରେ ସେ ତାର ବାପାକୁ ଖୋଜିବାକୁ ଲାଗେ। ବାପାକୁ ନପାଇବାରୁ ପୁଲିସରେ ଏ ନେଇ ଖବର ଦିଏ। ପୁଲିସ ଝିଅର ଅଭିଯୋଗ କ୍ରମେ ଛାନ୍ଭିନ୍ ଆରମ୍ଭ କରି ସୋମବାର ଘର ଭିତରୁ ଜଗନ୍ନାଥ ବାଗ୍ଙ୍କ ଗଳିତ ଶବକୁ ଉଦ୍ଧାର କରି ହତ୍ୟା ମାମଲାରେ ପୁଅକୁ ଗିରଫ କରିଥିଲା।