କୋରାପୁଟ: ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କୋରାପୁଟ: ସୁନାବେଶରେ ସଜାଇ ହୋଇ ରଥ ଉପରୁ ଭକ୍ତଙ୍କୁ ଆଜି ଦର୍ଶନ ଦେଇଛନ୍ତି ତିନି ଠାକୁର। ଏହି ରାଜରାଜେଶ୍ବର ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ରଥଚକଡାରେ ସମାଗମ ହୋଇଥିଲା। ଆଜି ସକାଳୁ ରଥ ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ। ଦିନ ତମାମ ୩ଟି ଯାକ ରଥ ନିକଟରେ ଭକ୍ତଙ୍କ ଗହଳି ଲାଗି ରହିଥିଲାବେଳେ ଅପରାହ୍ନରେ ଆରମ୍ଭ ହୋଇଥିଲା ସୁନାବେଶର ପ୍ରସ୍ତୁତି। ବିଭିନ୍ନ ନୀତି ବଢିବା ପରେ ଠାକୁର ନାନା ଗହଣାରେ ସଜାଇ ହୋଇଥିଲେ। ଠାକୁରଙ୍କ ମୁଣ୍ତରେ ସୁନା ମୁକୁଟ ଚହଟିଥିଲା।

ସେହିପରି ବିଭିନ୍ନ ରକମର ଗହଣା ଠାକୁର ପିନ୍ଧିଥିଲେ। ସନ୍ଧ୍ୟାବେଳକୁ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା। ହାଲକା ବର୍ଷା ସତ୍ତ୍ବେ ଭକ୍ତଙ୍କ ଉତ୍ସାହ ଥମି ନ ଥିଲା। ସୁନାବେଶରେ ଠାକୁର ଦର୍ଶନ ଦେବା ପରେ ସନ୍ଧ୍ୟା ଅଳତୀ କରାଯାଇଥିଲା। ଏହା ପରେ ଅଧରପଣା ନୀତି ସ˚ପନ୍ନ ହୋଇଥିଲା। ବିଭିନ୍ନ ଅଶରୀରୀଙ୍କ ଉଦ୍ଦେଶ୍ୟରେ ପଣା ହାଣ୍ତି ଭଙ୍ଗା ଯାଇଥିଲା। ସୁନା ବେଶ ଅବସରରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏପଟେ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରରେ ଟ୍ରାଫିକ କଟକଣା ଲାଗୁ କରାଯାଇଥିଲା। ରଥର ଉଭୟ ପାର୍ଶ୍ବର ରାସ୍ତାକୁ ସିଲ କରି ଦିଆଯାଇ କୌଣସି ଗାଡି ମୋଟର ଛଡା ଯାଇ ନ ଥିଲା। ସେହିପରି ଜାତୀୟ ରାଜପଥରେ ଯାଉଥିବା ଗାଡିଗୁଡିକୁ ବିକଳ୍ପ ରାସ୍ତାରେ ଛଡା ଯାଇଥିଲା। ଆସନ୍ତାକାଲି ନୀଳାଦ୍ରୀବିଜେ ନୀତି ସଂପାଦିତ ହେବ।

ସମ୍ବନ୍ଧିତ ଖବର