କେନ୍ଦୁଝର: ବିଶ୍ବର ସର୍ବବୃହତ୍‌ ରଥରେ ଆଜି ତିନିଠାକୁର ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଦୁର୍ଲଭ ବେଶ ଦେଖିବାକୁ କେନ୍ଦୁଝରରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।
ଆଜି ମଧ୍ୟାହ୍ନରୁ ପୂଜକ ସୁବ୍ରତ ତ୍ରିପାଠୀ, ସୁଜିତ ଦାଶ, ଈଶ୍ବର ତ୍ରିପାଠୀ, ଦେବଦତ୍ତ ପତି ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ୧୬ କେଜି ୭୫୦ ଗ୍ରାମ ସୁନା ଓ ୩୦ କେଜି ରୁପା ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସଜ୍ଜିତ କରାଯାଇଥିଲା। ଅପରାହ୍‌ଣ ୩ଟା ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିଥିଲେ। ରାତି ୧୦ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା। ରଥ ଉପରକୁ କୌଣସି ଭକ୍ତଙ୍କୁ ଯିବାପାଇଁ ବାରଣ କରାଯାଇଥିବା ବେଳେ ରଥ ଚାରିପଟେ କର୍ଡନ କରାଯାଇ ଲୋକଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। କେନ୍ଦୁଝର ରାଜବଂଶର ପୃଷ୍ଠପୋଷକତାରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ୧୯୬୧ ମସିହା ପରେ ସୁନାବେଶ ବନ୍ଦ ରହିଥିଲା। ଏହାପରେ ପୁଣି ୨୦୦୮ ମସିହାରୁ ସୁନାବେଶ ହୋଇଆସୁଛି। ଏଥିପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖା ଲକରରୁ କଡ଼ା ସୁରକ୍ଷା ମଧ୍ୟରେ ବଡ଼ଦାଣ୍ଡକୁ ଅଣାଯାଉଛି। ଠାକୁରଙ୍କ ୬୩ ପ୍ରକାରର ସୁନାଗହଣା ଥିବାବେଳେ ୧୫ ପ୍ରକାର ଗହଣା ଲାଗି କରାଯାଉଛି।

Advertisment

ଶ୍ରୀ ବଳଭଦ୍ରଙ୍କୁ ୧୪ଟି ପଥର ଥାଇ ସୁନାମୁକୁଟ, ଶ୍ରୀ ଜଗନ୍ନାଥଙ୍କୁ ୧୨ଟି ପଥର ଥାଇ ସୁନାମୁକୁଟ, ଦେବୀ ସୁଭଦ୍ରାଙ୍କୁ ୧୨ଟି ପଥର ଥାଇ ସୁନାମୁକୁଟ, ପାଞ୍ଚଟି କିଆପଥର ଥାଇ ସୁନା କିରିଟି, ସୁନାର ମରିଚହାର, ସାତଟି ସୁନାର କିରିଟି, ୫ଟି ସୁନାର କିରିଟି, ୧୬ଟି ଝରା, ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି, ୧୭ଟି ଝରା ସହିତ ସୁଭଦ୍ରାଙ୍କ ସୁନାପେଟି, ଦୁଇଯୋଡ଼ା ସୁନାକୁଣ୍ଡଳ, ୫୬ଟି ମୋହର, ୬୦ଟି କଣ୍ଠି ଥାଇ ଗିରିଗୋଲର ହାର, ୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷମାଳ, ୫ଟି କିଆପତ୍ର, ଏକଯୋଡ଼ା କୁଣ୍ଡଳ, ଗୋଟିଏ ରୁପାମୁକୁଟ, ଚାରିଟି ରୁପା ହାତ, ଚାରିଟି ରୁପା ଗୋଡ଼ ଓ ଚାରିଟି ରୁପା ପୟରରେ ଶ୍ରୀଜିଉମାନଙ୍କୁ ସଜ୍ଜିତ କରାଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଶ୍ରୀଜିଉଙ୍କର ୩୪ କେଜି ୨୬୫ ଗ୍ରାମ ସୁନାଅଳଙ୍କାର ଗଚ୍ଛିତ ରହିଛି। ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିଲା। ବିଭିନ୍ନ ସ୍ଥାନରେ ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲା ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଧାରାବିବରଣୀ ପ୍ରଦାନ କରାଯାଇଥିଲା।