ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡର ୪ ଖେଳାଳୀ

ଆର୍‌ଏମ୍‌ସିର ଚିୟର୍‌ ଫୋର୍‌ ଇଣ୍ଡିଆ କ୍ୟାମ୍ପେନ୍‌

ରାଉରକେଲା:  ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସାମିଲ ହୋଇଛନ୍ତି  ଭାରତୀୟ ହକି ଟିମରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଖେଳାଳି। ଏହା ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଭାରତୀୟ ହକି ଟିମ୍ ସହିତ ସ୍ଥାନୀୟ ଖେଳାଳିମାନଙ୍କ ମନରେ ଉତ୍ସାହ ଭରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ  ‘ ଚିୟର୍‌ ଫୋର୍‌ ଇଣ୍ଡିଆ’ କ୍ୟାମ୍ପେନ କରାଯାଇଛି।

ନିଗମ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ହକି ତାରକା ଲାଜରୁସ ବାର୍ଲାଙ୍କ ସମେତ ବହୁ ଖେଳାଳି, କୋଚ୍ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତି ସାମିଲ ହୋଇ ଶୁଭେଚ୍ଛା ଜଣାଇଥିଲେ। “ସୁନ୍ଦରଗଡ଼ ହେଉଛି ହକିର ଗଡ଼। ଏହି ମାଟିରୁ ଅନେକ ହକି ଖେଳାଳି ବାହାରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇଛନ୍ତି। ଏବେ ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ପ୍ରତିଭାବନ ହକି ଖେଳାଳି ସାମିଲ ହୋଇଛନ୍ତି। ଏହା ଆମ ପାଇଁ ଗର୍ବର କଥା। ଏହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।ଜୁଲାଇ ୨୩ ତାରିଖରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି।

ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତରୁ ୧୮ଟି କ୍ୟାଟେଗୋରିରେ ୧୨୭ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଭାରତୀୟ ପୁରୁଷ ହକି ଟିମରେ ସୁନ୍ଦରଗଡ଼ ଜିଲ୍ଲାର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଭାଗ ନେଇଥିବା ବେଳେ ମହିଳା ହକି ଟିମ୍ ଲାଗି ନମିତା ଟପ୍ପୋ ଏବଂ ଦୀପଗ୍ରେସ୍ ଏକ୍କା ମନୋନୀତ ହୋଇଛନ୍ତି। “ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ ଜିଲ୍ଲାରୁ ଭାଗ ନେଇଥିବା ୪ ଜଣ ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ଏହି କ୍ୟାମ୍ପେନ କରାଯାଉଛି।

ଯେଉଁ ୪ ଜଣ ମନୋନିତ ହୋଇଛନ୍ତି ସେମାନେ ଭଲ ଖେଳାଳି। ସେମାନଙ୍କ ପ୍ରଦର୍ଶନରେ ଭାରତ ପଦକ ଜିତିବ ବୋଲି ମୋର ଦୃଢ଼ ଆଶା ରହିଛି’’, କହିଛନ୍ତି ହକି ତାରକା ଲାଜରୁସ୍ ବାର୍ଲା।ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ  ‘ ଚିୟର୍‌ ଫୋର୍‌ ଇଣ୍ଡିଆ’ କ୍ୟାମ୍ପେନ କରାଯାଉଛି। ସାରା ଦେଶରେ ଏହି କ୍ୟାମ୍ପେନ ଚାଲିଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କ୍ୟାମ୍ପେନରେ ପୂର୍ବତନ କ୍ରୀଡ଼ାବିତ୍ ଭାରତୀ ମିଶ୍ର, ଆଥଲେଟିକ୍ କୋଚ୍ ଅଶୋକ କୁମାର ପ୍ରସାଦ, କ୍ରୀଡ଼ାବିତ୍ ଅର୍ପିତା ପରିଡ଼ା, ବରିଷ୍ଠ ହକି କୋଚ୍ ଅମୂଲ୍ୟନନ୍ଦ ବିହାରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆରଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲଫି କର୍ଣ୍ଣର କରାଯାଇଥିଲା। ଏଥିରେ ସ୍ଥାନୀୟ ଯୁବପିଢ଼ି, କ୍ରୀଡ଼ାବିତମାନେ ଉପସ୍ଥିତ ରହି ସେଲଫି ନେଇଥିଲେ। ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସମସ୍ତ ଖେଳାଳିଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାର ୪ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର