ସୁନ୍ଦରଗଡ଼: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରଠାରେ ଅନୁଷ୍ଠିତ ୨୪ତମ ତୀରନ୍ଦାଜ ପ୍ରତିଯୋଗିତାରେ ସର୍ବାଧିକ ୨୩ଟି ପଦକ ପାଇ ସୁନ୍ଦରଗଡ଼ ଚମକ ଦେଖାଇଛି। ଓଡ଼ିଶା ତୀରନ୍ଦାଜ ଆସୋସିଏସନ ଆନୁକୂଲ୍ୟରେ ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗିତାର ଇଣ୍ଡିଆନ ରାଉଣ୍ଡ ମିନି ବାଳିକା ବର୍ଗ ୩୦ ମିଟରରେ ପ୍ରଥମ ଅନୁସୟା ହରିଜନ ପ୍ରଥମ, ଗୀତାଞ୍ଜଳି ଭତ୍ରା ଦ୍ବିତୀୟ, ୨୦ ମିଟରରେ ଗୀତାଞ୍ଜଳି ଭତ୍ରା ଦ୍ବିତୀୟ ଓ ଅନୁସୟା ହରିଜନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦୁହେଁ ପୂରା ରାଉଣ୍ଡରେ ମଧ୍ୟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ଉପକନିଷ୍ଠ ବାଳିକା ୩୦ ମିଟର ଓ ୨୦ ମିଟରରେ ଅମ୍ବିକା ପାଣ୍ଡି ପ୍ରଥମ, ଯସ୍ମିତା ଗନ୍ଧା ଦ୍ବିତୀୟ ଓ ତନିଷା ମେହେରା ତୃତୀୟ ସହ ପୂରା ପ୍ରତିଯୋଗିତାୟରେ ମଧ୍ୟ ପଦକ ହାସଲ କରିଛନ୍ତି।

Advertisment

ସେହିପରି ଆବର୍ତ୍ତ ମିନି ବାଳିକା ବର୍ଗ ୫୦ ମିଟର ଓ ଉପ କନିଷ୍ଠ ବାଳିକା ବର୍ଗ ୬୦ ମିଟରରେ ସୁମିତ୍ରା ସାନ୍ତା ଦ୍ବିତୀୟ, କନିଷ୍ଠ ବାଳିକା ୭୦ ମିଟରରେ ପ୍ରଜ୍ଞା ଦଳାଇ ପ୍ରଥମ, ମମିତା ଓରାମ ଦ୍ବିତୀୟ, ବରିଷ୍ଠ ବାଳିକା ୭୦ ମିଟରରେ ମମିତା ଓରାମ ପ୍ରଥମ, ମମତା ସୋରାନିଆ ଦ୍ବିତୀୟ, କମ୍ପାଉଣ୍ଡ ରାଉଣ୍ଡ ବାଳିକା ୫୦ ମିଟର ଉଭୟ ବରିଷ୍ଠ ଓ କନିଷ୍ଠରେ ପ୍ରୀତି ଓରାମ ପ୍ରଥମ ଓ ସ୍ମିତା ମହନ୍ତ ତୃତୀୟ ସ୍ଥାନ ଅଧିକାର କରି ପଦକ ହାସଲ କରିଛନ୍ତି। ଏ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ତୀରନ୍ଦାଜ ଆସୋସିଏନ ଓ ସୁନ୍ଦରଗଡ଼ ସାଇ ଛାତ୍ରାବାସର ଖେଳାଳି। ମୋଟ ୩୨ ଜଣ ଖେଳାଳି ପ୍ରତିଯୋଗିତା ରେ ଭାଗ ନେଇଥିବାବେଳେ କୋଚ ସି.ଆର. କୁର୍ମି, ଟିକିଲି ମହାକୁଳ, ନାରାୟଣ ବାନାରା ଉପସ୍ଥିତ ଥିଲେ। ଖେଳାଳିଙ୍କ ଏହି କୃତିତ୍ବ ପାଇଁ ଜିଲ୍ଲା ତୀରନ୍ଦାଜ ଆସୋସିଏସନ ସଭାପତି ତଥା ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୌରାଧ୍ୟକ୍ଷା ତନୟା ମିଶ୍ର ଅଭିନନ୍ଦନ ଜଣାଇଛନ୍ତି।