ସୁନ୍ଦରଗଡ଼: ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଆଉ ଏକ ଖୁସି ଖବର। ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ ନେହେରୁ କପ୍ (କନିଷ୍ଠ ବର୍ଗ) ହକି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁନ୍ଦରଗଡ଼ ଟାଉନ ହାଇସ୍କୁଲର ଉଭୟ ବାଳକ ଓ ବାଳିକା ଟିମ୍ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଭୟ ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ସୁନ୍ଦରଗଡ଼ ଜିଲ୍ଲା ଓ ଓଡ଼ିଶାର ଗୌରବ ବଢ଼ାଇବା ପାଇଁ ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଟାଉନ ହାଇସ୍କୁଲର ବାଳିକା ଟିମ୍ ବରିଷ୍ଠ କୋଚ୍ ପ୍ରଦୀପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜାତୀୟସ୍ତରୀୟ ନେହେରୁ କପ୍ ହକି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଖୁବଶୀଘ୍ର ବାଳକ ଟିମ୍ ନୂଆଦିଲ୍ଲୀ ଯାତ୍ରା କରିବ। ଅକ୍ଟୋବର ୨୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଶିବାଜୀ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।

publive-image

ଏହି ଅବସରରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଟିମ୍ ମ୍ୟାନେଜର ଅଶ୍ୱିନୀ କୁମାର ପଟେଲ, ସାଇ କ୍ରୀଡ଼ା ଛାତ୍ରାବାସର ମୁଖ୍ୟ ହକି ପ୍ରଶିକ୍ଷକ ଆବ୍ରାହମ କିସପଟା, ବରିଷ୍ଠ କୋଚ୍ ତେଜ କୁମାର ଖେସ୍, ରାଜ୍ୟ କ୍ରୀଡ଼ା ଛାତ୍ରାବାସର ମୁଖ୍ୟ ମିଲଟନ ବିଲୁଙ୍ଗ, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ଅଧିକାରୀ ଅନିଲ କେର୍କେଟା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନେହେରୁ କପ୍ ହକି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଉଭୟ କନିଷ୍ଠ ବାଳକ ଓ ବାଳିକା ବର୍ଗରେ ଚାମ୍ପିୟନ ହୋଇଥିଲା। ବାଳିକା ବର୍ଗରେ ଟାଉନ ହାଇସ୍କୁଲ ୫-୦ ଗୋଲରେ ରାଉରକେଲା ବିର୍ସା ମୁଣ୍ଡା ହାଇସ୍କୁଲକୁ ଓ ବାଳକ ବର୍ଗରେ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଦଳ ମଝାପଡ଼ାର ରଗବା ହାଇସ୍କୁଲକୁ ୫-୨ ଗୋଲରେ ହରାଇ ବିଜୟୀ ହୋଇଥିଲା।