ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡ଼ିୟମରେ ଚାଲିଥିବା ଜିଲ୍ଲା ପୁରୁଷ ଫୁଟବଲ ଚାମ୍ପିଅନସିପର ତୃତୀୟ ଦିବସରେ ଅତିଥି ଭାବେ ପୁଲିସ ବାରାକ ନିରୀକ୍ଷକ ଲୋକନାଥ ଭୋଇ ଓ ପୂର୍ବତନ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ କ୍ବାଟର ଫାଇନାଲରେ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ଼ ୨-୦ ଗୋଲରେ ମହିପାନି ଫୁଟବଲ କ୍ଲବ୍ଠାରୁ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନିତ ହୋଇଛି। ଦ୍ବିତୀୟ କ୍ବାଟରରେ ନଦୀସୁଗୁଡ଼ା ଅଙ୍କଲ କ୍ଲବ୍ ୧୧-୦ ଗୋଲରେ ବିଜୁଲିଖମନ ଫ୍ରେଣ୍ଡ୍ସ କ୍ଲବ୍ ଠାରୁ ବିଜୟୀ ହେଲା। ସେହିପରି ତୃତୀୟ କ୍ବାଟର ଫାଇନାଲରେ ବାଲିଶଙ୍କରା ଏକାଦଶ ଓ କୁମୁଟିମୁଣ୍ଡା ଗୋଲ୍ ଶୂନ୍ୟ ଡ୍ର ହେବାରୁ ପେନାଲଟି ସୁଟଆଉଟ୍ ମରାଯାଇଥିଲା। ଏଥିରେ ୪-୩ ଗୋଲରେ ବାଲିଶଙ୍କରା ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ କ୍ବାଟର ଫାଇନାଲରେ ଟାଙ୍ଗରଭାଡ଼ି ଏସଏସ କ୍ଲବ୍ ଓ ତୁମୁଲିଆ ମଧ୍ୟରେ ବିଜୟ ପାଇଁ ସଂଘର୍ଷ ହୋଇଥିଲା। ୧-୧ ଗୋଲରେ ମ୍ୟାଚ୍ ଡ୍ର ହେବାରୁ ପେନାଲଟି ସୁଟଆଉଟ ମରାଯାଇଥିଲା।
ତୁମୁଲିଆ ୪-୨ରେ ବିଜୟୀ ହେଲା। ବୁଧବାର ଅପରାହ୍ନରେ ପ୍ରଥମ ସେମି ଫାଇନାଲ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଓ ନଦୀସୁଗୁଡ଼ା ଅଙ୍କଲ କ୍ଲବ, ଦ୍ବିତୀୟ ସେମିଫାଇନାଲ ବାଲିଶଙ୍କରା ଏକାଦଶ ଓ ତୁମୁଲିଆ ଖେଳିବେ। ଖେଳକୁ ରେଫରି ଅଶୋକ ପାଣ୍ଡବ, ମହମ୍ମଦ ସରଫରତ, ସୁମନ୍ତ କିସାନ, ଦେବେନ୍ଦ୍ର ମାଝୀ, ବଲ୍ଲଭ ଭୋଇ, ସୁଶାନ୍ତ ଷଣ୍ଢ, କୁମରମଣି ଛତ୍ରିଆ, କ୍ଷେତ୍ରମଣି ଦେହୁରୀ ପରିଚାଳନା କରିଥିଲେ। ଜାତୀୟ ରେଫରି ଦୁର୍ଗାମାଧବ ନାଏକ ମ୍ୟାଚ କମିସନର ଦାୟିତ୍ବ ତୁଲାଇଥିଲେ। ନିତ୍ୟାନନ୍ଦ ଦାସ, କାର୍ତ୍ତିକ ରକ୍ସା, ସନ୍ତୋଷ ସୁନାନୀ ଚୟନକର୍ତ୍ତା ରହିଛନ୍ତି। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ଜୟଦେବ ପାତ୍ର, ଅଶ୍ବିନୀ ଭୋଳ, ବିମଳ ବୋଷ, ମେରିଜନ ବାଗେ, ସୁଶୀଳ ପଟେଲ, ନିତ୍ୟାନନ୍ଦ ବଳ, ରୋମାଞ୍ଚ ଭୈଷାଲ, ଶ୍ୟାମନନ୍ଦନ ସହାୟ, ପ୍ରସାଦ ନାଏକ, ସୂରଜ ଭୈଷାଲ, ଶିଶିର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମ୍ୟାଚ ଗୁଡ଼ିକ ପରିଚାଳିତ ହେଉଛି।