ସୁନ୍ଦରଗଡ଼: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଲୋଗା ଓ ଡାସବୋର୍ଡ ମଧ୍ୟ ଉନ୍ମୋଚନ କରାଯାଇଛି। ଶୁକ୍ରବାର ଦିନ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ଥିବା ୧୧ଟି ଜିଲ୍ଲା ସହିତ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଯୋଡ଼ି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ କନଫରେନ୍ସ ହଲଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ଯୋଜନା ଓ ସଂଯୋଜନ କର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି, ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ତିର୍କୀ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଭିନ୍ନ ପ୍ରକଳ୍ପର ତାଜା ସ୍ଥିତି, ଅଗ୍ରଗତି, ବ୍ୟୟ ଅଟକଳ ଆଦି ବିଷୟରେ ଜାଣିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଡାସବୋର୍ଡ ବିଶେଷ ସହାୟକ ହେବ। ଜନସାଧାରଣଙ୍କ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ ଏଥିରେ ଯେପରି ସ୍ୱଚ୍ଛତା ରହିପାରିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାରେ ସମୁଦାୟ ୭ ହଜାର ୩୪୫ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୩୧ଟି ପ୍ରକଳ୍ପର କାମ ଚାଲିଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ଏହିସବୁ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।