ମୃତା ଦର୍ଶାଇ ଦିବ୍ୟାଙ୍ଗ ନାଵାଳିକାଙ୍କ ଭତ୍ତା କାଟିବା ମାମଲା, ୩ ବର୍ଷର ଭତ୍ତା ଦେଲେ ପୌର କର୍ତ୍ତୃପକ୍ଷ

ସୁନ୍ଦରଗଡ଼: ପୌରାଞ୍ଚଳ ପତ୍ରାପଡାର ଜଣେ ଜୀବିତ ଦିବ୍ୟାଙ୍ଗ ନାଵାଳିକା ଅନିମା ସାହୁଙ୍କୁ ମୃତା ଦର୍ଶାଇ ପୌର କର୍ତୃପକ୍ଷ ୩ ବର୍ଷର ଭତ୍ତା କାଟି ଦେଇଥିଲେ। ନାଵାଳିକାଙ୍କ ମା’ ଲକ୍ଷ୍ମୀ ସାହୁ ଝିଅ ଜୀବିତ ଅଛି କହି ଭତ୍ତା ପାଇଁ ପୌର ଅଫିସ ଦୌଡି ଦୌଡି ଥକି ପଡିଥିଲେ। ଘଟଣାକ୍ରମେ ଗୁରୁଵାର ମୃତା ଘୋଷିତ ନାଵାଳିକା ପୌର କାର୍ଯ୍ୟାଳୟରେ ସଶରୀରେ ଉପସ୍ଥିତ ହେବା ପରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୌର ନିର୍ବାହୀ ଅଧିକାରୀ ଝିଅକୁ ଦେଖି ଓ କଥା ଶୁଣି ହଡବଡେଇ ଯାଇଥିଲେ। ପରେ ସନ୍ଧ୍ୟାରେ ପୌର କର୍ମଚାରୀ ତାଙ୍କ ଘରକୁ ଯାଇ ନାଵାଳିକାଙ୍କୁ ୩ ବର୍ଷର ୧୭୮୦୦ ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ପୌରାଞ୍ଚଳର ପତ୍ରାପଡ଼ାର ଲକ୍ଷ୍ମୀ ସାହୁଙ୍କ ଆଜନ୍ମ ଦିବ୍ୟାଙ୍ଗ ଝିଅ ଅନିମା ସାହୁଙ୍କୁ ୨୦୦୮ରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବା ପରେ ମଧୁବାବୁ ଭତ୍ତା ମଞ୍ଜୁର ହୋଇଥିଲା। ସେ ଚଳନ ଅକ୍ଷମ ଥିବାରୁ ପୌରପାଳିକାର ଜଣେ କର୍ମଚାରୀ ପ୍ରତି ମାସ‌ରେ ଘରକୁ ଆସି ଭତ୍ତା ଟଙ୍କା ଦେଇ ଯାଉଥିଲେ। କିନ୍ତୁ ୨୦୧୯ ଅଗଷ୍ଟରୁ ଆଉ ତାଙ୍କୁ ଭତ୍ତା ମିଳିଲା ନାହିଁ। ୩ ମାସ ପରେ ମା’ ଲକ୍ଷ୍ମୀ ପୌରପାଳିକାକୁ ଯାଇ ଝିଅର ଭତ୍ତା ସମ୍ପର୍କରେ ପଚାରିଥିଲେ। କିନ୍ତୁ କିଛି ସଠିକ ଉତ୍ତର ମିଳି ନଥିଲା। ସେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ଏହାର କିଛି ମାସ ପରେ କୋଭିଡ୍‌ ସଂକ୍ରମଣକୁ ନେଇ ତାଲାବନ୍ଦ ହେବାରୁ ଲକ୍ଷ୍ମୀ ଆଉ ପୌରପାଳିକା ଅଫିସକୁ ଯାଇ ନଥିଲେ।

ପରବର୍ତ୍ତୀ ସମୟରେ ତାଲା ଖୋଲିବା ପରେ ସେ ପୁଣି ଝିଅର ଭତ୍ତା ପାଇଁ ଅଫିସ ଧାଇଁଥିଲେ। କିନ୍ତୁ ସେତେବେଳେ ସେ ଝିଅକୁ ମୃତା ଘୋଷଣା କରି ଭତ୍ତା କାଟି ଦେଇଥିବା ଜାଣିବାକୁ ପାଇଥିଲେ। ଝିଅ ଜୀବିତ ଅଛି ବୋଲି ଯେତେ‌ କହିଲେ ବି ଦାୟିତ୍ବରେ ଥିବା ପୌର କର୍ମଚାରୀ ଶୁଣି ନଥିଲେ। ଝିଅ ଜୀବିତ ଥିବାର ପ୍ରମାଣ ଆଣିବାକୁ କହି କର୍ମଚାରୀ ଫେରାଇ ଦେଇଥିଲେ। ତେଵେ କେଉଁ ପରିସ୍ଥିତିରେ ନାଵାଳିକାଙ୍କୁ ମୃତା ଘୋଷଣା କରାଗଲା, ଯେଉଁଥିପାଇଁ ଜଣେ ଦିବ୍ୟାଙ୍ଗ ନାବାଳିକା ୩ଵର୍ଷ ଧରି ଦହଗଞ୍ଜ ହେଲେ, ଏଥିପାଇଁ କିଏ ଦାୟୀ ଓ ତାଙ୍କ ଵିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର