ଗୋଆରୁ ଗାଆଁକୁ ବାଟ ଭୁଲିଛନ୍ତି ସୁନ୍ଦରଗଡ଼ର ବୃଦ୍ଧ, ସହାୟକ ହେଲେ କଳାହାଣ୍ଡିର ଯୁବକ

ସୁନ୍ଦରଗଡ଼: ଗୋଆରୁ ଗାଆଁକୁ ଫେରିବା ବାଟ ଭୁଲି ଯାଇଛନ୍ତି ସୁନ୍ଦରଗଡ଼ର ବୃଦ୍ଧ। କିଛି ମାସ ତଳେ ଦାଦନ ଖଟିବାକୁ ଯାଇ ସେ ଫେରିବାକୁ ଚାହୁଥିଲେ ମଧ୍ୟ ବାଟ ନପାଇ ଗୋଆରେ ଘୂରି ବୁଲୁଛନ୍ତି। ସମ୍ବେଦନଶୀଳ ଖବରଟି ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚିଛି ସୁନ୍ଦରଗଡ଼ରେ। ବୃଦ୍ଧଙ୍କ ନାମ ଗଣେଶ ବୀରଗଣ୍ଠିଆ, ଘର ଲେଫ୍ରିପଡ଼ା ବ୍ଲକ୍ ସୁରୁଗୁଡ଼ାରେ। ବରଗଡ଼ର ଜଣେ ସାମାଜିକକର୍ମୀ ଦିବସ କୁମାର ସାହୁ ଏହାକୁ ନିଜ ଫେସବୁକ୍ରେ ପୋଷ୍ଟ କରିଥିଲେ। ଏହା ପରେ ସନ୍ଧ୍ୟାରେ ଆମ ପ୍ରତିନିଧିଙ୍କୁ ଯୋଗାଯୋଗ କରି ବୃଦ୍ଧଙ୍କ ପରିବାରର ଠିକଣା ଦେବାକୁ ଅନୁରୋଧ କରିଥିଲେ।

ତେବେ ଏହା ମଧ୍ୟରେ ଭଲ ଖବରଟି ହେଲା, ବାଟ ଭୁଲିଥିବା ବୃଦ୍ଧଙ୍କୁ କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳରୁ ଗୋଆକୁ ଦାଦନ ଖଟି ଯାଇଥିବା ଜଣେ ଯୁବକ ମୋହନ ବିହାରୀ ତାଙ୍କୁ ସହାୟ ହୋଇଛନ୍ତି। ବୃଦ୍ଧଙ୍କୁ ଖାଇବାକୁ ଦେଇ ନିଜ ପାଖରେ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଲେଫ୍ରିପଡ଼ାରେ ଥିବା ସମ୍ପର୍କୀୟମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବୃଦ୍ଧ ଗଣେଶ (ପୁନା) ବୁଢ଼ୀ ମା’, ପତ୍ନୀ ସ୍ବପ୍ନା, ଦୁଇ ପୁଅ ପ୍ରତାପ ଓ ପ୍ରଭାବଙ୍କ ସହ ସୁରୁଗୁଡ଼ାରେ ରହୁଥିଲେ। କିନ୍ତୁ ସେ ନିଶା କବଳରେ ପଡ଼ିବା ପରେ ପତ୍ନୀ ଦୁଇ ପୁଅକୁ ନେଇ ନିଜ ବାପ ଘର କୁର୍ଗାକୁ ଚାଲି ଯାଇଥିବା ବେଳେ ଏବେ ସେଠାରେ ରହୁଛନ୍ତି। କିଛି ମାସ ତଳେ ବୁଢ଼ୀ ମା’ଙ୍କୁ ଛାଡ଼ି ଗଣେଶ ଗୋଆ ଚାଲିଯାଇଥିଲେ। କିନ୍ତୁ ସେ କେଉଁଠି ରହିଲେ, କ’ଣ କରୁଛନ୍ତି ତାହା ଆମକୁ ଜଣା ନାହିଁ ବୋଲି ଗଣେଶଙ୍କ ପୁତୁରା ପ୍ରକାଶ କରିଛନ୍ତି।

ଅନ୍ୟପଟେ ବୃଦ୍ଧ ଗୋଆରେ କିଛି ମାସ ରହିବା ପରେ ଘରକୁ ଫେରିବାକୁ ଚାହି ବାଟ ଭୁଲିଯାଇଥିବା ବେଳେ ଗୋଆରେ ଥିବା ମୋହନ ବିହାରୀ ତାଙ୍କୁ ଆଶ୍ରୟ ଦେଇ ବରଗଡ଼ରୁ ସାମାଜିକକର୍ମୀ ଦିବସ କୁମାର ସାହୁଙ୍କୁ ଏ ସମ୍ପର୍କରେ ଜଣାଇ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ମହାମାରୀ କରୋନା ପାଇଁ ତାଲାବନ୍ଦ ସମୟରେ କଳାହାଣ୍ଡିର ମୋହନ ସମେତ ଅନ୍ୟ ଯୁବକମାନଙ୍କୁ ସୁରକ୍ଷିତ ଭାବେ ଗାଁକୁ ଫେରାଇ ଆଣିବାରେ ବରଗଡ଼ର ଶ୍ରୀ ସାହୁ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ମୋହନ ଏ ଘଟଣାରେ ବି ତାଙ୍କୁ ସହାୟତା ଲୋଡ଼ିଥିଲେ। ଏବେ ସେ ବୃଦ୍ଧଙ୍କୁ ଗୋଆରୁ ଫେରାଇ ଆଣିବାକୁ ସୁନ୍ଦରଗଡ଼ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର