ସୁନ୍ଦରଗଡ଼ରେ ପାସ୍‌ହାର: ବିଜ୍ଞାନରେ ୬୮.୫୮%, ବାଣିଜ୍ୟରେ ୭୭.୮୭%

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶିତ: ବିଜ୍ଞାନରେ ସରକାରୀ, ବାଣିଜ୍ୟରେ ମ୍ୟୁନିସିପାଲ କଲେଜ ଆଗରେ

ରାଉରକେଲା: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଆଜି ପ୍ରକାଶିତ ହୋଇଛି। ଚଳିତବର୍ଷ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ଫଳ ଆଶାନୁରୂପ ହୋଇନି। ଜିଲ୍ଲାରେ ବିଜ୍ଞାନରେ ପାସ୍‌ହାର ୬୮.୫୮% ଥିବାବେଳେ ବାଣିଜ୍ୟରେ ୭୭.୮୭% ରହିଛି। ବାଣିଜ୍ୟରେ ଫଳାଫଳ ସାମାନ୍ୟ ସନ୍ତୋଷକଜନକ ରହିଥିବାବେଳେ ବିଜ୍ଞାନରେ କିନ୍ତୁ ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଇସ୍ପାତସହରର ବିଭିନ୍ନ କଲେଜରେ ମଧ୍ୟ ଫଳ ପୂର୍ବବର୍ଷ ଅପେକ୍ଷା ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜିଲ୍ଲାରେ ବିଜ୍ଞାନରେ ମୋଟ୍‌ ୩୯୬୧ ଜଣ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। କିନ୍ତୁ କୌଣସି କାରଣରୁ ୪୩ ଜଣ ଅନୁପସ୍ଥିତ ରହିବାରୁ ମୋଟ୍‌ ୩୯୧୮ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୨୬୮୭ ଜଣ ପାସ୍‌(୬୮.୫୮%) କରିଥିବାବେଳେ ୧୨୩୧ ଜଣ(୩୧.୪୨%) ଫେଲ୍‌ ହୋଇଛନ୍ତି। ଏଥର ମୋଟ୍‌ ୮୩୨ ଜଣ ଛାତ୍ରଛାତ୍ରୀ ପ୍ରଥମ‌ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବାବେଳେ ୯୧୩ ଜଣ ଦ୍ବିତୀୟ ଶ୍ରେଣୀ ଓ ୯୨୨ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷା ଦେଉଥିବାବେଳେ ୨୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍‌ ହୋଇଥିଲେ। ସେହିଭଳି ବାଣିଜ୍ୟରେ ଜିଲ୍ଲାରେ ୨୨୮୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ତେବେ ୨୨ ଜଣ ଅନୁପସ୍ଥିତ ରହିବାରୁ ମୋଟ୍‌ ୨୨୬୦ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୭୬୦ ଜଣ(୭୭.୮୭%) ପାସ୍‌ କରିଥିବାବେଳେ ୫୦୦ ଜଣ(୨୨.୧୩%) ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି। ଏବର୍ଷ ୫୨୧ ଜଣ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୩୮୬ ଜଣ ଦ୍ବିତୀୟ ଶ୍ରେଣୀ ଓ୮୪୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାଉରକେଲା ସରକାରୀ କଲେଜ: ଏଥର ବିଜ୍ଞାନରେ ରାଉରକେଲା ସରକାରୀ ମହାବିଦ୍ୟାଳୟର ବିଜ୍ଞାନ ମୋଟ୍‌ ୩୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ୨୨୭ ଜଣ ପାସ୍‌ କରିଥିବାବେଳେ ୯୨ ଜଣ ଫେଲ୍‌ ହୋଇଛନ୍ତି। ଏବର୍ଷ ମୋଟ୍‌ ୧୧୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବାବେଳେ ୯୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୨୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୮୯.୩୩% ମାର୍କ ରଖି ରିଙ୍କୁ ନାୟକ କଲେଜ ଟପ୍ପର ହୋଇଥିବାବେଳେ ତପସ୍ବିନୀ ସାହୁ ୮୬.୮୩% ସହ ତେଜସ୍ବିନୀ ସାହୁ ଓ ପ୍ରୀତି ପ୍ରତୀମା ଖୀଲାର ଯୁଗ୍ମଭାବେ ଦ୍ବିତୀୟ ଓ ଆର୍ଯ୍ୟ ନାରାୟଣ ମହାରଣା(୮୪%) ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ବାଣିଜ୍ୟରେ ୧୨୩ ଜଣ ପରୀକ୍ଷା ଦେଇଥିବାବେଳେ ୧୦୯ ଜଣ ପାସ୍‌ କରିଛନ୍ତି। ଏଥିମଧ୍ୟରୁ ୮୧ ଜଣ ପ୍ରଥମ ଶ୍ରେଣୀ, ୨୦ ଜଣ ଦ୍ବିତୀୟ ଶ୍ରେଣୀ ଓ ୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବର୍ଷା କୁମାରୀ ସର୍ବାଧିକ ୯୧.୩୩% ମାର୍କ ରଖି କଲେଜ ଟପ୍ପର ହୋଇଥିବାବେଳେ ୮୯.୮୩% ସହ ଜଗନ୍ନାଥ ବାଗ ଓ ଆମ୍ରିନ ବାନୋ ଯୁଗ୍ମଭାବେ ଦ୍ବିତୀୟ ଏବଂ ୮୮.୮୩% ରଖି ଦୀପାନ୍ନିତା ମକୁର ତୃତୀୟ ସ୍ଥାନରେ ରହିଛନ୍ତି।

ମ୍ୟୁନିସିପାଲ କଲେଜ: ଏଥର ବିଜ୍ଞାନରେ ମ୍ୟୁନିସିପାଲ କଲେଜର ୨୫୬ ଜଣ ପରୀକ୍ଷା ଦେଇଥିଲେ। ତେବେ ମାତ୍ର ୮୬ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୩୫ ଓ ତୃତୀୟ ଶ୍ରେଣୀରେ ୩୭ ଜଣ ପାସ୍‌ କରିଛନ୍ତି। ଶୁଭମ ସ୍ବାଇଁ(୮୧.୬୬%) କଲେଜ ଟପ୍ପର ହୋଇଥିବାବେଳେ ସୌମ୍ୟ ଦେବ ନାୟକ(୭୩.୩୩%) ଦ୍ବିତୀୟ ଓ ଅଶ୍ବିନ ରାୟ(୬୭.୫%) ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ବାଣିଜ୍ୟରେ ଏହି କଲେଜର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଏଥର ବାଣିଜ୍ୟରେ ୨୪୯ ଜଣ ପରୀକ୍ଷା ଦେଇଥିବାବେଳେ ୨୩୩ ଜଣ(୯୩.୫୭%) ପାସ୍‌ କରିଛନ୍ତି। ସର୍ବାଧିକ ୧୨୮ ଜଣ ପ୍ରଥମ ଶ୍ରେଣୀ, ୫୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୫୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍‌ ୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ସର୍ବାଧିକ ୯୧.୮୩% ମାର୍କ୍‌ ରଖି କାଞ୍ଚନ ଶତପଥୀ କଲେଜ ଟପ୍ପର ହୋଇଥିବାବେଳେ ପୂର୍ଣ୍ଣିମା ଦେ(୯୧.୬୦%) ଦ୍ବିତୀୟ, ସ୍ମିତା ଦାସ(୯୧.୧୬%) ତୃତୀୟ ସ୍ଥାନରେ ରହିଛନ୍ତି।

ଇସ୍ପାତ କଲେଜ: ଏଥର ବିଜ୍ଞାନରେ ୧୪୧ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୯୦ ଜଣ ପାସ୍‌ କରିଥିବାବେଳେ ୫୧ ଜଣ ଫେଲ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୧ ଜଣ, ଦ୍ବିତୀୟ ଶ୍ରେଣୀରେ ୪୦ ଜଣ, ତୃତୀୟ ଶ୍ରେଣୀରେ ୨୭ ଜଣ ଓ କମ୍ପାର୍ଟ‌ମେଣ୍ଟାଲ୍‌ରେ ୨ ଜଣ ପାସ୍‌ କରିଛନ୍ତି। ୮୦.୩୩% ମାର୍କ ରଖି ଅଙ୍କିତ ପଶାୟତ ବିଜ୍ଞାନରେ କଲେଜ ଟପ୍ପର ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୨୫୭ ଜଣ ପରୀକ୍ଷା ଦେଇଥିବାବେଳେ ୧୯୪ ଜଣ ପାସ୍‌ କରିଛନ୍ତି। ଏଥିମଧ୍ୟରୁ ୪୨ ଜଣ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୪୭ ଜଣ ଦ୍ବିତୀୟ ଓ ୧୦୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୮୧.୮୩% ମାର୍କ ରଖି ନିଶାନ୍ତ ପଙ୍କଜ ବାଣିଜ୍ୟରେ କଲେଜ ଟପ୍ପର ହୋଇଛନ୍ତି।

ସୁଶୀଳାବତୀ ମହିଳା ମହାବିଦ୍ୟାଳୟ: ଚଳିତବର୍ଷ ବିଜ୍ଞାନରେ ମୋଟ୍‌ ୨୧୯ ଜଣ ପରୀକ୍ଷା ଦେଇଥିବାବେଳେ ୭୮ ଜଣ ପାସ୍‌ କରିଛନ୍ତି। ୧୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବାବେଳେ ୨୭ ଜଣ ଦ୍ବିତୀୟ ଶ୍ରେଣୀ ଓ ୪୧ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସ୍ନେହାରାଣୀ ଛତ୍ରିଆ ସର୍ବାଧିକ ୭୨% ରଖି କଲେଜ ଟପ୍ପର ହୋଇଥିବାବେଳେ ପ୍ରିୟଙ୍କା ପ୍ରୀୟଦର୍ଶିନୀ ତ୍ରିପାଠୀ(୬୮.୬୬) ଦ୍ବିତୀୟ ଓ ଅନ୍ବେଷା ଶ୍ରୀଚନ୍ଦନ(୬୫.୬୬%) ତୃତୀୟ ସ୍ଥାନରେ ରହିଛନ୍ତି।

ଇସ୍ପାତ ବିଦ୍ୟା ମନ୍ଦିର: ବିଜ୍ଞାନରେ କଲେଜର ପାସ୍‌ ହାର ୫୭% ରହିଛି। ଦେବସ୍ମିତା ପାତ୍ର ୮୨.୬୬% ରଖି ବିଭାଗୀୟ କଲେଜ ଟପ୍ପର ହୋଇଥିବାବେଳେ ହରପ୍ରୀୟା ସାହୁ(୮୧%) ଦ୍ବିତୀୟ ଓ ଚିଦାନନ୍ଦ ସାହୁ(୭୯.୮୩%) ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ବାଣିଜ୍ୟରେ ପାସ୍‌ ହାର ୯୦ ପ୍ରତିଶତ ରହିଛି। ଆଳିଷା କିଣ୍ଡୋ(୮୭.୮୩%) କଲେଜ ଟପ୍ପର ହୋଇଥିବାବେଳେ ଓମପ୍ରକାଶ ନାୟକ(୮୧.୫%) ଦ୍ବିତୀୟ ଓ ଶୁଭଲକ୍ଷ୍ମୀ ମହାନ୍ତି(୭୮%) ତୃତୀୟ ସ୍ଥାନରେ ରହିଛନ୍ତି।

ହୃଷୀକେଶ ରାୟ ମହାବିଦ୍ୟାଳୟ: ବିଜ୍ଞାନରେ କଲେଜର ୩୩ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ମାତ୍ର ୯ ଜଣ ପାସ୍‌ କରିଥିବାବେଳେ ୨୪ ଜଣ ଫେଲ୍‌ ହୋଇଛନ୍ତି। କେବଳ ଜଣେ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବାବେଳେ ୭ ଜଣ ଦ୍ବିତୀୟ ଶ୍ରେଣୀ ଓ ଜଣେ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିଭଳି ବାଣିଜ୍ୟରେ ୧୧୧ ଜଣ ପରୀକ୍ଷା ଦେଇଥିବାବେଳେ ୮୨ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୭ ଜଣ, ଦ୍ବିତୀୟ ଶ୍ରେଣୀରେ ୨୦ ଜଣ ଓ ତୃତୀୟ ଶ୍ରେଣୀରେ ୪୫ ଜଣ ପାସ୍‌ କରିଛନ୍ତି।

ଗାନ୍ଧୀ ମହାବିଦ୍ୟାଳୟ: ବିଜ୍ଞାନରେ ମୋଟ୍‌ ୩୧ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ କେବଳ ୧୬ ଜଣ ପାସ୍‌ କରିଥିବାବେଳେ ୧୫ ଜଣ ଫେଲ୍‌ ହୋଇଛନ୍ତି। କଲେଜର ଜଣେ ବି ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇନଥିବାବେଳେ ୪ ଜଣ ଦ୍ବିତୀୟ ଓ ୧୨ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହଭିଳି ବାଣିଜ୍ୟରେ ୧୧୧ ଜଣ ପରୀକ୍ଷା ଦେଇଥିବାବେଳେ ୮୨ ଜଣ ସଫଳତାର ସହ ପାସ୍‌ କରିଛନ୍ତି। ୧୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୨୦ ଜଣ ଦ୍ବିତୀୟ ଶ୍ରେଣୀ ଓ ୪୫ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର