ସୁନ୍ଦରଗଡ଼, ଆଜି ଠାରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ୱୟଂଚାଳିତ ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ଯାଇଥିବା ରାଜ୍ୟ ରାଜପଥ, ଜାତୀୟ ରାଜପଥ ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି। ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଓ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ରାସ୍ତାରେ କ୍ୟାମେରା ଖଞ୍ଜାଯାଇଛି।
ସେହିପରି ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସହରର ଟ୍ରାଫିକ୍ କ୍ୟାମେରା ନଜରରେ ରହିଛି। ତେଣୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମସ୍ତ ଗାଡ଼ି ଚାଳକ ଓ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ କଟିବ ଇ-ଚାଲାଣ। ବିଭିନ୍ନ ରାସ୍ତାରେ ଲାଗିଥିବା ସ୍ୱୟଂଚାଳିତ କ୍ୟାମେରା ବ୍ୟବସ୍ଥା ମାଧ୍ୟମରେ ଚାଳକଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ରେକର୍ଡ କରାଯାଇ ପଞ୍ଜୀକୃତ ମୋବାଇଲକୁ ସିଧାସଳଖ ଚାଲାଣ ପଠାଇ ଦିଆଯିବ। ଉଲ୍ଲଂଘନକାରୀଙ୍କୁ ସେହି ଅନୁଯାୟୀ ଜରିମାନା ଭରିବାକୁ ପଡ଼ିବ।
ସଡ଼କ ସୁରକ୍ଷା ନିୟମ ଅଧୀନରେ ବିଭିନ୍ନ ରାସ୍ତା ପାଇଁ ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ରାସ୍ତାର ବିପରୀତ ଦିଗରେ ଗାଡ଼ି ଚାଳନା, ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇବା, ଗୋଟିଏ ବାଇକରେ ୩ ଜଣ ଆରୋହୀ ବସି ଯିବା ଆସିବା କରିବା, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର ନ କରିବା ଓ କୌଣସି ଗାଡ଼ି ଚାଳନା ବେଳେ ମୋବାଇଲ୍ ବ୍ୟବହାର କରିବା ଆଦି ମଟର ଯାନ ଆଇନ ଅନୁଯାୟୀ ଦଣ୍ଡନୀୟ। ଏଥିପାଇଁ ପ୍ରତ୍ୟେକ ବର୍ଗରେ ନିର୍ଦ୍ଧାରିତ ଜରିମାନା ଆଦାୟ କରାଯିବ। ଟ୍ରାଫିକ ଉଲ୍ଲଂଘନ କରିବା, ବେପରୁଆ ତଥା ବିପଜ୍ଜନକ ଭାବେ ଗାଡ଼ି ଚଲାଇବା ଆଦି କାରଣରୁ ସଡ଼କ ଦୁର୍ଘଟଣା ଘଟିଥାଏ। ଏହାକୁ ରୋକିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/cctv.jpeg)