ଶାବଳରେ ଭୁଶି ସ୍ୱାମୀକୁ ହତ୍ୟା

କୋଇଡ଼ା/ବଣାଇଁଗଡ଼: ପତ୍ନୀର ଶାବଳ ମାଡ଼ରେ ସ୍ୱାମୀ ମୃତ୍ୟୁବରଣ କରିବା ଭଳି ଏକ ଘଟଣା କୋଇଡ଼ା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ ସାନଇନ୍ଦପୁର ଗ୍ରାମର ଦାସିଆ ଦେହୁରୀ(୩୫) ତାଙ୍କ ପତ୍ନୀ ଗୌରୀ ଦେହୁରୀ(୩୦) ଓ ୩ ବର୍ଷର ଗୋଟିଏ ଝିଅ ରହିଛି। ଗତକାଲି ରାତି ସାଢ଼େ ୯ଟା ସମୟରେ ଦାସିଆ ଦେହୁରୀ ଘରେ ନିଜ ଝିଅ ସହିତ ଶୋଇଥିବାବେଳେ ପତ୍ନୀ ଗୌରୀ ଏକ ଶାବଳ ଆଣି ଦାସିଆର ମୁଣ୍ଡରେ ଭୁଶି ଦେଇଥିଲା। ଦାସିଆ ଶୋଇପଡ଼ିଥିବାରୁ ବିରୋଧ କରିବାକୁ ସମୟ ପାଇଥିବାବେଳେ ଶାବଳ ମାଡ଼ରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ଶାବଳ ମାଡ଼ ପାଖରେ ଶୋଇଥିବା ଝିଅ ହାତରେ ବାଜିବାରୁ ସେ ଜୋରରେ କାନ୍ଦି ଉଠିଥିଲା। ଛୋଟ ଝିଅର କାନ୍ଦ ଶୁଣି ପାଖ ପଡୋଶି ଦୌଡି ଆସି କୌଶଳ କ୍ରମେ ଝିଅକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ କୋଇଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାବେଳେ ହତ୍ୟାକାଣ୍ଡ ବିଷୟରେ କୋଇଡ଼ା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚ ଗୌରିକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ ସହ ଶବ ଜବତ କରିଥିଲା। ଦାସିଆ କୁଆଡେ ଆଉ ଗୋଟିଏ ପତ୍ନୀ ରଖିଛି ବୋଲି ଜାଣିବା ପରେ ଗୌରର ମାନସିକ ସ୍ଥିତି ଠିକ୍‌ ନଥିବାରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ପ୍ରକାଶ। ପୁଲିସ ଜବତ ଶବ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର