ରାଉରକଲୋ: ଟ୍ରେନଯାତ୍ରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ମାମଲାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ରେଳବାଇ ପୁଲିସ ମୁଖ୍ୟ ଅଭିଯୁକ୍ତ ପାନପୋଷ କୋଏଲବ୍ୟାଙ୍କ୍ର ଆକବର ଅଲ୍ଲୀ (୩୫)ଙ୍କ ସହ ଏକ ଜୁଏଲାରୀ ଦୋକାନର କର୍ମଚାରୀ ଟିଙ୍କୁ ଲୋହାରକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩୩.୫ ଭରି ଅର୍ଥାତ୍ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଛି। ଜବତ ସୁନା ମଧ୍ୟରୁ ୨୩ ଭରି ଆକବର ନିଜ ପାଖରେ ରଖିଥିଲେ। ୯ ଭରି ସୁନା ମୁଥୁଟ୍ ଫାଇନାନ୍ସରେ ବନ୍ଧା ରଖି ୧.୮୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଅବଶିଷ୍ଟ ୨.୫ ଭରି ସୁନା ଜୁଏଲାରୀର କର୍ମଚାରୀ ଟିଙ୍କୁ ଲୋହାରକୁ ଅଳଙ୍କାର ତିଆରି କରିବାକୁ ଦେଇଥିଲେ। ସିସି ଟିଭି ଯାଞ୍ଚ ଆଧାରରେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପରେ ସେମାନଙ୍କ ମୋବାଇଲ ଟ୍ରାକ୍ କରି ରାୟଗଡା ପୁଲିସ ରାଉରକେଲା ରେଳବାଇ ପୁଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ଆକବରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗ୍ୟାଙ୍ଗରେ ସାମିଲ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ସହ ଦୁଇ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଭୟ ରାଉରକେଲା ଓ ରାୟଗଡା ରେଳବାଇ ପୁଲିସ ତଦନ୍ତ ଚଳାଇଛନ୍ତି। ଆଜି ରାଉରକେଲା ରେଳବାଇ ଏସ୍ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଜୟ ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।
ତାଙ୍କ କହିବାନୁଯାୟୀ, ରାୟଗଡା ଅତାବିରାରେ ବି. ସତ୍ୟନାରାୟଣ (୪୪)) ଓ ତାଙ୍କ ଭଉଣୀ ବି. ଚେଲମା ରାଜମୁଦ୍ରୀ ରହନ୍ତି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପାର୍ବତୀପୁରମ୍ରେ ଭାଣିଜୀଙ୍କ ନିର୍ବନ୍ଧ ପାଇଁ ଗତ ୧୭ ତାରିଖରେ ଦୁହେଁ ଅତାବିରାରୁ ବାହାରିଥିଲେ। ବୋକାରୋ- ଆଲେପି ଏକ୍ସପ୍ରେସ୍ର ୨ୟ ବାତୁନୁକୁଳିତ କୋଚ୍ରେ ଯାତ୍ରା କରୁଥିଲେ। ଯାତ୍ରା ବେଳେ ତାଙ୍କ ନିକଟରେ ଦୁଇଟି ଆଟାଚି କିଛି ଜିନିଷ ପତ୍ର ସହ ପ୍ରାୟ ୭୦ ଭରି ସୁନା ଗହଣା ଥିଲା। ସେହି କୋଚ୍ରେ ଗିରଫ ମୁଖ୍ୟ ଅଭିଯୁକ୍ତ ଆକବରଙ୍କ ସମେତ ତିନି ଅଭିଯୁକ୍ତ ଯାତ୍ରା କରୁଥିଲେ। ରାୟଗଡା ଷ୍ଟେସନ ନିକଟରେ ବି. ସତ୍ୟନାରାୟଣ ଓ ତାଙ୍କ ଭଉଣୀ ଶୋଇପଡିଥିବାର ସୁଯୋଗ ନେଇ ଆକବର ଓ ତାର ଅନ୍ୟ ଦୁଇ ସହଯୋଗୀ ଦୁଇଟି ଆଟାଚି ଚୋରି କରିବା ପରେ ରାୟଗଡା ଷ୍ଟେସନରେ ଓହ୍ଲାଇ ପଡିଥିଲେ। ଟ୍ରେନ୍ ରାୟଗଡା ଷ୍ଟେସନ ଛାଡିବା ପରେ ବି. ସତ୍ୟନାରାୟଣ ସିଟ୍ ତଳେ ରଖିଥିବା ଦୁଇଟି ଆଟାଚି ନ ଥିବା ଦେଖିବାକୁ ପାଇଥିଲେ। କୋଚ୍ରେ ବହୁ ଖୋଜାଖୋଜି ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ ନ କରି ଭାଣିଜୀଙ୍କ ନିର୍ବନ୍ଧରେ ଯୋଗଦେବାକୁ ଚାଲି ଆସିଥିଲେ। ୨୧ ରେ ପାର୍ବତୀପୁରମ୍ ଫେରି ରାୟଗଡା ଜିଆର୍ପିରେ ଏ ବିଷୟରେ ଲିଖିତ ଏତଲା ଦେଇଥିଲେ। ବି. ସତ୍ୟନାରାୟଣଙ୍କ ଲିଖିତ ଆଧାରରେ ରାୟଗଡା ପୁଲିସ ସିସି ଟିଭି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ମୁଖ୍ୟ ଅଭିଯୁକ୍ତ ଆକବର ସମେତ ତାର ଅନ୍ୟ ଦୁଇ ସହଯୋଗୀ ଆଟାଚି ଧରି ଟ୍ରେନରୁ ଓହ୍ଲାଇ ଦେଖିବାକୁ ପାଇଥିଲେ। ପରେ ବଗିରେ ସେହି ତିନିଟି ଟିକେଟ୍ ରାଉରକେଲା ଷ୍ଟେସନରୁ ବୁକିଂ ହୋଇଥିବା ଜଣାପଡିଥିଲା। ସେଥିରେ ଥିବା ମୋବାଇଲ ନମ୍ବରକୁ ଟ୍ରାକିଂ ପାଇଁ ରାଉରକେଲା ସାଇବର ଥାନା ସହାୟତା ଲୋଡାଯାଇଥିଲା। ନମ୍ବର ଟ୍ରାର୍କିଂରୁ ମୁଖ୍ୟ ଅଭିଯୁକ୍ତ ରାଉରକେଲା ବୋଲି ଜଣାପଡିଥିଲା। ସେହି ଅନୁଯାୟୀ ରାୟଗଡା ରେଳବାଇ ଥାନାର ପୁଲିସ ଟିମ୍ ରାଉରକେଲା ପହଞ୍ଚି ପ୍ଲାଣ୍ଟସାଇଟ୍ ଓ ରେଳବାଇ ପୁଲିସ ସହାୟତାରେ କୋଏଲବ୍ୟାଙ୍କରେ ଚଢ଼ଉ କରି ଆକବରଙ୍କୁ ଗିରଫ କରିଥିଲା। ପରେ ତାଙ୍କ ସୂଚନା ଆଧାରରେ ଟିଙ୍କୁ ଲୋହାରଙ୍କୁ ଗିରଫ କରିଥିଲା। ସାମ୍ବାଦିକ ସମ୍ମିଳନୀରେ ରାୟଗଡା ରେଳବାଇ ଡିଏସ୍ପି ଜେ.ସି.ବୁର୍ଦା, ରାଉରକେଲା ଡିଏସ୍ପି ଜେ. ସାମଦ ସମେତ ରାୟଗଡା ଓ ରାଉରକେଲା ରେଳବାଇ ଥାନା ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/rkl-5.jpg)