ରାଉରକେଲା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋଜ କୁମାର ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ଦଣ୍ଡ ସହ ୫ ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଶୁଣାଇଛନ୍ତି। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ଆବଶ୍ୟକ ଦସ୍ତାବିଜ୍ ଆଧାରରେ ବିଚାରପତି ଶ୍ରୀ କୁମାର ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କୁତ୍ରା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମର ମହମ୍ମଦ ଗୁଲୁ। ଗତ ୨୦୧୫ ଜୁଲାଇ ୨୩ରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ମହିଳାଙ୍କ ଦିଅରର ସାଙ୍ଗ ଅଭିଯୁକ୍ତ ମହମ୍ମଦ ଗୁଲୁ ସେହି ଦିନ ରାତିରେ ରାଏବୋଗାରେ ପହଞ୍ଚିଥିଲା। ରାତିରେ ରହିବାକୁ କହି ଗୁଲୁ ମହିଳାଙ୍କ ବାରଣ୍ଡାରେ ଶୋଇଥିଲା। ମହିଳାଙ୍କ ମୁକ ଓ ବଧିର ନଣଦ ଅଲଗା ଅନ୍ୟ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ଗୁଲୁ ବିଳମ୍ବିତ ରାତିରେ ବାରଣ୍ଡାରୁ ଉଠି ଯୁବତୀ ଶୋଇଥିବା ଘରକୁ ପଶିଥିଲା। ବଳପୂର୍ବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିବାରୁ ଗୁଲୁ ସେଠାରୁ ଫେରାର ହୋଇଯାଇଥିଲା। ପୀଡିତା ଯୁବତୀ ଜଣଙ୍କ କଥା କହିପାରୁ ନଥିବାରୁ ଠାରରେ ସମସ୍ତ କଥା ତାଙ୍କ ଭାଉଜଙ୍କୁ କହିଥିଲେ। ଯୁବତୀଙ୍କ କହିବାନୁଯାୟୀ ପରିବାର ଓ ଗ୍ରାମବାସୀ ରାତିରେ ଗୁଲୁକୁ ଧରିବାକୁ ଖୋଜିଥିଲେ। ଧରାପଡିଯିବା ଭୟରେ ଗୁଲୁ ଗ୍ରାମର ଶେଷମୁଣ୍ଡରେ ଥିବା ଏକ ବୁଦାମୁଳେ ଲୁଚି ରହିଥିଲା। ବହୁ ଖୋଜାଖୋଜି ପରେ ଗ୍ରାମବାସୀମାନେ ବୁଦା ଭିତରୁ ଗୁଲୁକୁ ଧରି ରାଏବୋଗା ଥାନାକୁ ହସ୍ତାନ୍ତର କରିଥିଲେ। ପୁଲିସ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଗୁଲୁକୁ ଡାକ୍ତରମାଇନା କରିଥିଲା। ଡାକ୍ତରୀମାଇନା ପରେ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ଗୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ପୀଡ଼ିତା ଯୁବତୀ ଠାରରେ ସାକ୍ଷୀ ଦେଇଥିଲେ। ଯୁବତୀଙ୍କ ସାକ୍ଷୀର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ଯୁବତୀଙ୍କ ସହ ଅନ୍ୟ ୧୩ ଜଣ ସାକ୍ଷୀ ଦେଇଥିଲେ। ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣକୁ ଆଧାରରେ ବିଚାରପତି ଆଜି ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ପିପି କୈଳାସ ପ୍ରଧାନ ମାମଲା ପରିଚାଳନା କରୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp