ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଆଜି ଭୋର ସମୟରେ ଏକ ମାଲ ବୋଝେଇ ଭାରୀଯାନ  ଦୁର୍ଘଟଣା ଯୋଗୁ ୧୨ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘୋଟାଇ ଭାରୀଯାନ ଗାଡ଼ି ଫେରାର ହୋଇଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ପାଞ୍ଚଟା ସମୟରେ ରାଉରକେଲାରୁ ଝାରଖଣ୍ଡ ଆଡ଼କୁ ଯାଉଥିବା ଏକ ମାଲବୋଝେଇ ଭାରୀଯାନ ଦ୍ରୁତଗତିରେ ଆସି ବୀରମିତ୍ରପୁର ପୌରପାଳିକା ୧୧ ନମ୍ବର ୱାର୍ଡ ତଳସେରା ଛକ ନିକଟରେ ରାସ୍ତାକଡ଼ରେ ବସିଥିବା ଗୋରୁଙ୍କ ଉପରେ ଗାଡି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ  ୧୨ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଗାଡ଼ିଟି ଘଟଣାସ୍ଥଳରୁ ଝାରଖଣ୍ଡକୁ ଫେରାର ହୋଇଯାଇଥିବା ଦେଖଣାହାରୀଙ୍କ ସୁତ୍ରରୁ ପ୍ରକାଶ।

ଦୁର୍ଘଟଣା ପରେ ରାସ୍ତାଉପରେ ଗୋରୁଙ୍କ ମୃତଦେହ ପଡ଼ିରହିଥିବାରୁ ରାସ୍ତା ଦୁଇପାର୍ଶରେ ଗାଡ଼ିସବୁ ଅଟକି ଯାଇଥିଲା! ଏହି ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କ ମୃତଦେହ ଉଦ୍ଧାର କରିଛି।