ଟପରିଆ ଆନ୍ଦୋଳନର ନେତା ରାଜେନ୍ଦ୍ରଙ୍କୁ ଉଠାଇନେଲା ପୁଲିସ: ଧାରଣାସ୍ଥଳରେ ୧୪୪ ଧାରା ଜାରି, ଅଞ୍ଚଳରେ ଉତ୍ତେଜନା

ସୁନ୍ଦରଗଡ଼: ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ଵିରୋଧ କରି ଟପରିଆ ଛକରେ ୨୭ ଦିନ ଧରି ଧାରଣାରତ ଜନଶକ୍ତି ବିକାଶ ପରିଷଦ ନେତା ରାଜେନ୍ଦ୍ର ନାଏକଙ୍କୁ ଆଜି ହେମଗିର ପୁଲିସ ଉଠାଇ ନେଇଛି। ରାଜେନ୍ଦ୍ର ନାଏକଙ୍କୁ  ତୁରନ୍ତ ଛାଡ଼ିବା ଦାବି ନେଇ ବହୁସଂଖ୍ୟକ ଅଂଚଳବାସୀ ଆନ୍ଦୋଳନ ସ୍ଥଳରେ ଏକତ୍ରିତ ହୋଇଛନ୍ତି।

ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମସିଏଲର କୋଇଲା ପରିବହନ ଉପରେ ଓଡ଼ିଶା ମାନବାଧିକାର ଆୟୋଗ ରୋକ ଲଗାଇଛନ୍ତି। ଏହା ପରେ ଟପରିଆ ଛକରେ ଚାଲିଥିବା ଆନ୍ଦୋଳନରୁ ଜନଶକ୍ତି ବିକାଶ ପରିଷଦ ହଟିଯିବ ଵୋଲି ଆଶା କରିଥିଲା ପ୍ରଶାସନ। କିନ୍ତୁ ଚୂଡାନ୍ତ ରାୟ ନ ଆସିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଗତକାଲି ଘୋଷଣା କରିଥିଲା ପରିଷଦ। ଏହା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଧାରଣାସ୍ଥଳରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଧାରଣାସ୍ଥଳରେ ଶହଶହ ଲୋକ ଜମା ହେଉଥିବା ଖବର ମିଳିଛି। ଧାରଣା ଶାନ୍ତିପୂର୍ଣ୍ଣ ଥିବା ଓ କୋଇଲା ପରିବହନରେ ମାନଵିଧିକାର ଆୟୋଗଙ୍କ ରୋକ୍ ପରେ ପ୍ରଶାସନ, ପୁଲିସର କାର୍ଯ୍ଯାନୁଷ୍ଠାନକୁ ନେଇ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଏମସିଏଲ ବାଇପାସ୍ ବା ସ୍ବତନ୍ତ୍ର କରିଡର ନିର୍ମାଣ ନକରି ଗାଁ ରାସ୍ତାରେ କୋଇଲା ପରିବହନ କରିବାକୁ ବିରୋଧ କରି ସ୍ଥାନୀୟ ପ୍ରଭାବିତ ୯ଟି ପଞ୍ଚାୟତର ଲୋକେ ଟପରିଆ ଠାରେ ଜନଶକ୍ତି ବିକାଶ ପରିଷଦ ନେତୃତ୍ବରେ ଜାନୁଆରି ୧୯ରୁ ଧାରଣାରେ ବସିଛନ୍ତି। କୌଣସି ପରିସ୍ଥିତିରେ ଗାଁ ରାସ୍ତାରେ କୋଇଲା ପରିବହନ କରାଇ ନଦେବାକୁ ଲୋକେ ଅଟଳ ଥିବା ବେଳେ ଜନଶକ୍ତି ବିକାଶ ପରିଷଦର ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଜୟକୃଷ୍ଣ ପଟେଲଙ୍କୁ ଭେଟି ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। କୋଇଲା ପରିବହନ ଯୋଗୁଁ ଅଞ୍ଚଳର ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ବାଙ୍କିବାହାଲରୁ ଟପରିଆ ଛତିଶଗଡ଼ ସୀମା ୨୬ କିଲୋମିଟର ରାସ୍ତା ମରଣଯନ୍ତା ପାଲିଟିଥିବା, ଏମସିଏଲର ବେପାର ସ୍ଥାନୀୟ ଲୋକଙ୍କ ସ୍ବାଭିମାନ ସହ ବଞ୍ଚିବାର ଅଧିକାରକୁ ଛଡ଼ାଇ ନେଇଥିବା ବେଳେ ପରିବେଶ ମଞ୍ଜୁରିର ୪ (୧) ଓ ଗ(୩୦ ଅନୁସାରେ, ଗାଁ ମଧ୍ୟ ଦେଇ କୋଇଲା ପରିବହନ ନକରିବା, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଖଣିଜ ଦ୍ରବ୍ୟ ପରିବହନ ସମୟରେ ପ୍ରଦୂଷଣ ରୋକିବାକୁ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ନଜରଅନ୍ଦାଜ କରାଯାଇଥିବା ଅଭିଯୋଗ କରିଥିଲେ। ଏମସିଏଲର କୁଲଡା ଖୋଲା ମୁହଁ କୋଇଲା ଖଣିର ଖଣିଜ ଦ୍ରବ୍ୟ ପରିବହନ, ସଂରକ୍ଷଣ ଓ ବୋଝେଇରେ ସମସ୍ତ ସର୍ତ୍ତ, ଆଦେଶନାମା ଉଲ୍ଲଂଘନ କରୁଥିବାରୁ ଅତ୍ୟଧିକ କୋଇଲା ଗୁଣ୍ଡ ଉଡ଼ି ସିଧାସଳଖ ଅଞ୍ଚଳବାସୀଙ୍କ ଚାଷଜମି, କୂଅ, ପୋଖରି, ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ତଥା ଘରର ଯାବତୀୟ ଜିନିଷକୁ ନଷ୍ଟ କରିଚାଲିଛି। ଏହାର ସଂସ୍ପର୍ଶରେ ଆସି ଲୋକେ ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟାରେ ପଡ଼ୁଛନ୍ତି। ପ୍ରଦୂଷଣ ଯୋଗୁଁ ଚାଷୀଙ୍କ ଧାନ କଳା ହୋଇଯାଉଥିବା ଓ ଏହି କାରଣରୁ ମଣ୍ଡି କି ଅନ୍ୟ କୌଣସି ଜାଗାରେ ବିକ୍ରି ହୋଇପାରୁ ନଥିବା ପ୍ରତିନିଧି ଦଳ ଉଲ୍ଲେଖ କରିବା ସହ ଏହା ମାନବାଧିକାରର ଉଲ୍ଲଂଘନ ବୋଲି ପ୍ରକାଶ କରିଥିଲେ।

ଅନ୍ୟପଟେ ଏତେ ଯନ୍ତ୍ରଣା ଦେଇ ଚାଲିଥିବା ଏମସିଏଲ ସହ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନ ଏମସିଏଲ ସ୍ବତନ୍ତ୍ର କରିଡର୍ରେ କୋଇଲା ପରିବହନ କରୁଥିବା ଓ ପରିବେଶ ମଞ୍ଜୁରି ଆଇନର ସଠିକ ଅନୁପାଳନ କରୁଥିବାର ମିଛ ରିପୋର୍ଟ ଦେଇ ଖଣି ହାତେଇ ନେବାରେ ସଫଳ ହୋଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। ଏହା ପରେ ଆୟୋଗ ଫେବ୍ରୁଆରି ୧୦ ତାରିଖରେ ରୋକ ଆଦେଶ ଜାରି କରିଛନ୍ତି। ତେଵେ ୩ ଦିନ ପରେ ୧୩ରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଧାରଣାସ୍ଥଳକୁ ଯାଇ ଏ ସମ୍ପର୍କରେ ସୂଚନା ଦେଇ ଧାରଣା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ। ଯାହାକୁ ଲୋକେ ପ୍ରତ୍ୟାଖ୍ୟାନ ନ କରି ଦେଇଥିଲେ।

 

ସମ୍ବନ୍ଧିତ ଖବର