ବିଶ୍ରା: ଲୋକସଭା ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିଂଭୂମ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀ ସଂଗଠନ ସହ ଜଡ଼ିତ ୧୫ ସକ୍ରିୟ ମାଓ ସଦସ୍ୟ ଗୁରୁବାର ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ଥିବାବେଳେ ୧୩ ଜଣ ପୁରୁଷ ନକ୍ସଲ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ପଶ୍ଚିମସିଂଭୂମ ଜିଲ୍ଲାର ବିଭିନ୍ନ ଥାନାରେ ନକ୍ସଲଙ୍କ ହିଂସା ଘଟାଇଥିବାରୁ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ବିରୋଧରେ ବହୁ ଗୁରୁତର ମାମଲା ରହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଝାଡ଼ଖଣ୍ଡ ଅଞ୍ଚଳର ବାସିନ୍ଦା। ଚାଇବାସା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ କୋଲହାନ ଡିଆଇଜି ମନୋଜ କୁମାର, ସିଆର୍ପିଏଫ୍ ଡିଆଇଜି ପୁରାଣ ସିଂ, ସିଆର୍ପିଏଫ୍ କମାଣ୍ଡାଣ୍ଟ ଅମ୍ବୁଜ ନାଥ, ସିଆର୍ପିଏଫ୍ କମାଣ୍ଡାଣ୍ଟ ପ୍ରଭେଶ କୁମାର, ସିଆର୍ପିଏଫ୍ କମାଣ୍ଡାଣ୍ଟ ସଞ୍ଜୟ ସିଂ, ଚାଇବାସା ଜିଲାପାଳ କୁଲଦୀପ ଚୌଧୁରୀ, ଚାଇବାସା ଏସ୍ପି ଆଶୁତୋଷ ଶେଖର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପୁଲିସ ଅଧିକାରୀମାନେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଫୁଲତୋଡ଼ା ଏବଂ ଅଙ୍ଗବସ୍ତ୍ର ଦେଇ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଧନ୍ୟବାଦ ଜଣାଇଥିଲେ।
ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ପାଇଁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ। ଅପର ପକ୍ଷେ ଲୋକସଭା ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣକୁ ପୁଲିସ ଅଧିକାରୀମାନେ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରଧାନ କୋଡ଼ା(୪୫), ଚନ୍ଦ୍ର ମୋହନ (୨୯), ପାଗଲା ଗୋପ (୪୯), ଯୋଗେନ୍ କୋଡ଼ା (୪୪), ପେଲାଙ୍ଗ କୋଡା (୨୯), ସୋନୁ ଚାମ୍ପିଆ(୧୯), ରାମଯା ପୂର୍ତ୍ତି (୪୯), ସୋହନ ସିଂ ହେମ୍ବ୍ରମ (୨୪), ଡୋରନ ଚାମ୍ପିଆ(୨୩), ସୁଶିଲ ଚାମ୍ପିଆ(୫୦), ମଣି ଚାମ୍ପିଆ(୪୦), ଅମନ୍ ଚମ୍ପିଆ(୨୩), ଗଙ୍ଗା ରାମ (୧୯), ବାୟୋ କୋଡ଼ା (୪୬)ଙ୍କ ସମେତ ଜଣେ ନାବାଳକ ସାମିଲ ଅଛନ୍ତି।