ରାଉରକେଲା: ରାଉରକେଲା ଷ୍ଟେସନରୁ ଜବତ ୨.୨୩ କୋଟି ଟଙ୍କା ଘଟଣାରେ ଗିରଫ ତିନି ଆନ୍ତଃରାଜ୍ୟ ଟ୍ରେନ ଚୋରଙ୍କୁ ପଚରାଉଚୁରା ପାଇଁ ତିନି ଦିନିଆ ରିମାଣ୍ଡ ଆଣିଛି ରାଉରକେଲା ରେଳବାଇ ପୁଲିସ। ଗତକାଲି ତିନି ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ, ଦୁଇ ଭାଇ ସଞ୍ଜୟ ଗୁପ୍ତା ଓ ସୁନୀଲଙ୍କୁ ରେଳବାଇ ଏସ୍ପିଙ୍କ କାର୍ଯ୍ୟାଳୟରେ ପ୍ରାୟ ୫ରୁ ୬ ଘଣ୍ଟା ଜେରା କରିଥିଲା। ଚୋରି ୩ କୋଟି ୧୪ ଲକ୍ଷ ୯ ହଜାର ଟଙ୍କାରୁ ୨.୨୩ କୋଟି ଟଙ୍କା ଜବତ ହୋଇଥିଲା। ଅବଶିଷ୍ଟ ପ୍ରାୟ ୯୧ ଲକ୍ଷ ଟଙ୍କାର ସନ୍ଧାନ ନେଇ ମୁଖ୍ୟ ଅଭିଯୁକ୍ତ ରାଜନଙ୍କୁ ପଚରାଉଚୁରା କରାଯାଇଥିଲା। ତା’ ସୂଚନା ଆଧାରରେ ରେଳବାଇ ଏସ୍ପି ଅଜୟ ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଦୁଇଟି ସ୍ବତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ବିହାର, ଝାଡ଼ଖଣ୍ଡ ଯାଇଥିଲେ। ଆଜି ଦୁଇଟି ଟିମ୍ ସ୍ଥାନୀୟ ପୁଲିସ ସହାୟତାରେ ଗିରଫ ତିନି ଚୋରଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଛି। ତେବେ ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଚୋରଙ୍କୁ ପୁଲିସ ଗିରଫ କରିଛି କି ନାହିଁ, ଅବଶିଷ୍ଟ ଟଙ୍କା ଜବତ ହୋଇଛି କି ନାହିଁ ସେ ବିଷୟରେ ତଦନ୍ତକାରୀ ପୁଲିସ ଅଧିକାରୀ କିଛି କହିବାନୁ ମନା କରିଛନ୍ତି। ଅଭିଯୋଗକାରୀ କଲିକତାର ଗୌରବ କୁମାର ତଦନ୍ତରେ ସହଯୋଗ କରୁ ନଥିବାରୁ ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସମୟ ମଧ୍ୟରେ ଗୌରବ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟରେ ନ ପହଞ୍ଚିଲେ ୩ କୋଟି ୧୪ ଲକ୍ଷ ୯ହଜାର ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିବା ତା’ ଜାଣିବା ପୁଲିସ ପକ୍ଷେ କଷ୍ଟ ହୋଇପାରେ। ଏସବୁ ଅଡୁଆ ପରିସ୍ଥିତି ଭିତରେ କେସର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ ଅଥବା ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଆସନ୍ତା ଦିନରେ ୩ କୋଟି ୧୪ ଲକ୍ଷ ୯ ହଜାର ଟଙ୍କା ଚୋରି ଘଟଣାର ରହସ୍ୟ କେବେ ଉନ୍ମୋଚିତ ହେଉଛି, ତାକୁ ହିଁ ଅପେକ୍ଷା। ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ରାତିରେ ରାଉରକେଲା ଷ୍ଟେସନର ପ୍ଲାଟଫର୍ମ ନଂ ୨/୩ରୁ ରେଳ ସୁରକ୍ଷା ଯବାନ (ଆର୍ପିଏଫ୍) ରାଜନ ସମେତ ଦୁଇ ଭାଇ ସଞ୍ଜୟ ଓ ସୁନୀଲକୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୨ କୋଟି ୨୩ ଲକ୍ଷ ଟଙ୍କା, ମୋବାଇଲ ସମେତ ପୋଷାକପତ୍ର ଜବତ କରିଥିଲେ। ସେମାନଙ୍କ ନାଁରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ଦକ୍ଷିଣ ଭାରତରେ ବିଭିନ୍ନ ରେଳବାଇ ଥାନାରେ ଶତାଧିକ ଚୋରି ମାମଲା ରହିଛି। ସେମାନେ ବିଶେଷ କରି ଏସି ଟୁ ଟାୟାର କୋଚ୍ରେ ଟିକେଟ୍ କାଟୁଥିଲେ। ସାଧାରଣ ଯାତ୍ରୀଙ୍କ ପରି କୋଚ୍ରେ ବସିବା ପରେ କୋଚ୍ରେ ଥିବା ବ୍ୟବସାୟୀ ଓ ଧନୀ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଅତି ଚତୁରତାର ସହ ଯାତ୍ରୀଙ୍କ ଆଟାଚି ଓ ଟ୍ରଲି ବ୍ୟାଗଗୁଡ଼ିକୁ ଚୋରି କରିବା ପରେ ଟ୍ରେନ୍ରୁ ଓହ୍ଲାଇ ଅନ୍ୟ ଟ୍ରେନ୍ ଚଢ଼ି ଫେରାର ହୋଇଯାଉଥିଲେ।ଗତ ଜାନୁଆରି ୧୯ରେ ଏହି ସମାନ ଟ୍ରେନର ଏ-୧ କୋଚ୍ରୁ ଦୁଇଟି ଟ୍ରଲି ବ୍ୟାଗ୍, ସୁନାଗହଣା ଓ ୨୫ ହଜାର ଟଙ୍କା ସମେତ ମୋଟ ୨.୭୯ ଲକ୍ଷ ଚୋରି ଘଟଣାରେ ଏମାନଙ୍କର ସମ୍ପୃ୍କ୍ତି ରହିଥିବା ପୁଲିସ କହିଥିଲା।
ଷ୍ଟେସନରୁ ୨.୨୩ କୋଟି ଜବତ ଘଟଣା ଗିରଫ ଚୋରଙ୍କୁ ଧରି ଝାଡ଼ଖଣ୍ଡ, ବିହାରରେ ପୁଲିସ ଟିମ୍
/sambad/media/post_attachments/wp-content/uploads/2019/03/rkl29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)