ରାଉରକେଲା: ବିଜୁଳି ବିଲ୍‌ ଆଦାୟ କ୍ଷେତ୍ରରେ ସାଧାରଣ ଉପଭୋକ୍ତାଙ୍କୁ ଜୁଲମ୍‌ । ବଡବଡିଆଙ୍କୁ ମାଫ୍‌। ସୁନ୍ଦରଗଡ ଜିଲ୍ଲାରେ ଏମିତି ବିଚିତ୍ର ନୀତି ଆପଣେଇଛନ୍ତି ୱେସ୍କୋର ବିଭାଗୀୟ ଅଧିକାରୀ। କୋଟି କୋଟି ଟଙ୍କା ବିଜୁଳି ବିଲ୍‌ ବାକି ପଡିଥିବା ଶିଳ୍ପସଂସ୍ଥାଗୁଡ଼ିକ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ବିଭାଗ ଚୁପ୍‌ ବସିଛି। ଏଥି ମଧ୍ୟରୁ କିଛି ଶିଳ୍ପ ସଂସ୍ଥାକୁ ବନ୍ଦ କରି ମାଲିକ ଚାଲିଗଲେଣି। ମାସକୁ ମାସ ଏସବୁ ସଂସ୍ଥାଗୁଡ଼ିକ ଗୁଡ଼ିକ ଉପରେ ବିଜୁଳି ବିଲ୍‌ ବଢ଼ି ବଢ଼ି ଚାଲିଛି। ଏହା ସତ୍ତ୍ବେ ବିଭାଗରେ ଥିବା ଅଧିକାରୀଙ୍କ ନିଦ ଭାଙ୍ଗୁନି। ରାଜଗାଙ୍ଗପୁର ଇଲେକ୍ଟ୍ରିକାଲ ଡିଭିଜନ୍‌ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଡିଭିଜନ୍‌ ଅଧୀନରେ ରାଜଗାଙ୍ଗପୁର, କଲୁଙ୍ଗା, କୁଆରମୁଣ୍ଡା, ରାଜଗାଙ୍ଗପୁର, ବଡଗାଁ, କୁତ୍ରା ସେକ୍ସନ ରହିଛି। ବାଣିଜ୍ୟିକ ଓ ଘରୋଇ ମୋଟ ୧ ଲକ୍ଷ ୧୨ ହଜାର ୩୯୪ ଉପଭୋକ୍ତା ରହିଛନ୍ତି।

Advertisment

ଏଥିମଧ୍ୟରୁ ବାଣିଜ୍ୟିକ (୧ ପିଏଚ୍‌)ରେ ୩ ହଜାର ୭୫୯ ବିଜୁଳି ସଂ‌ଯୋଗ ହୋଇଛି। ୩ ଫେଜ୍‌ରେ ୬୩୨ ସଂସ୍ଥା ବିଜୁଳି ସଂଯୋଗ ନେଇଛନ୍ତି। ଅନୁରୂପ ୩୩୬ ମଧ୍ୟମ ଶିଳ୍ପ ସଂସ୍ଥା,୫୩୬ଟି କ୍ଷୁଦ୍ର ଶିଳ୍ପ ସଂସ୍ଥାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। କେବଳ ବଡ ଶିଳ୍ପ ସଂସ୍ଥା ନୁହେଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବିଜୁଳି ବଲ୍‌ ବାକି ପଡିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ୧୭ଟି ମଧ୍ୟମ ଓ ବଡ ଶିଳ୍ପ ସଂସ୍ଥା ଉପରେ ୨୧ କୋଟି ୪୦ ଲକ୍ଷ ୩ହଜାର ୮୮୫ ଟଙ୍କା ବିଜୁଳି ବିଲ୍‌ ବାକି ପଡିଛି।

ରାଜଗାଙ୍ଗପୁରସ୍ଥିତ ଶ୍ରୀରାମ ରି ରୋଲର ପ୍ରାଇଭେଟ୍‌ ଲିମି‌ଟେଡ୍‌ରେ ୯୩ ହଜାର ୧୫୦ ଟଙ୍କା, ହରି ମେସି୍ନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ୨ ଲକ୍ଷ ୯ ହଜାର ୪୦୨ ଟଙ୍କା, ଗୋଇଭଙ୍ଗାସ୍ଥିତ ଅନୁରାଗ ଫେରୋ ପ୍ରଡକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୫୭ ହଜାର ୫୨୮ ଟଙ୍କା, ଚୌଧୁରୀ ‌କମ୍ପ୍ଲେକ୍ସରେ ଥିବା ଇସ୍ପାତ ଏଜେନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ରେ ୬୨ ହଜାର ୨୬ ଟଙ୍କା, ଶ୍ରୀ ସାଇ ଶ୍ରଦ୍ଧା ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ୍‌ର ୧ ଲକ୍ଷ ୧୧ ହଜାର ୧୯୮ ଟଙ୍କା, ଚିକଟମାଟି ସାନ ନୂଆଗାଁସ୍ଥିତ ରବିସ୍‌ ମେଟାଲିକ୍ସ ୧ ଲକ୍ଷ ୧୮ ହଜାର ଟଙ୍କା ବାକି ପଡିଛି। ସେହିପରି ତୁମୁରା ଏଲ୍‌ଡି ମାଇନ୍ସର ୧ ଲକ୍ଷ ୩୦ ହଜାର, କୁଆରମୁଣ୍ଡା ଗୋବିରାସ୍ଥିତ ଜେନ୍‌ ଷ୍ଟିଲ୍‌ ଲିମିଟେଡ୍‌ ୪୪ ଲକ୍ଷ ୨୭ ହଜାର ୧୫୩ ଟଙ୍କା, ଓମ୍‌ ଗଣେଶ ମିନେରାଲ୍‌ସର ୨ ଲକ୍ଷ ୫୫ ହଜାର ୮୪୦ ଟଙ୍କା, ଉଦିତନଗର ସୁପରମାର୍କେଟସ୍ଥିତ ରାକନ୍‌ ଇଣ୍ଡଷ୍ଟ୍ରିଜ୍‌ ୨ ଲକ୍ଷ ୧୯ ହଜାର ୫୮୮ ଟଙ୍କା, ଚୌଧୁରୀ କମ୍ପ୍ଲେକ୍ସସ୍ଥିତ ଶିଭନ୍‌ ଇଣ୍ଟରପ୍ରାଇଜେସ୍‌ ୪ ଲକ୍ଷ ୪୭ ହଜାର ୪୩୯ ଟଙ୍କା, କଲୁଙ୍ଗା ବଲଣ୍ଡାସ୍ଥିତ ଓପିଜି ଇସ୍ପାତ ପ୍ରାଇଭେଟ୍‌ ର ୧ କୋଟି ୫୧ ଲକ୍ଷ ୫୧ ହଜାର ୧୫୩ ଟଙ୍କା, ବୀରମିତ୍ରପୁର ରେ‌ଲୱେ ଷ୍ଟେସନ ନିକଟ କୁଣ୍ଡୁ ଏଣ୍ଟରପ୍ରାଇଜେସ୍‌ରେ ୪୯ ହଜାର୨୧୩ ଟଙ୍କା, ବେଦବ୍ୟାସ ଗୋପପାଲୀସ୍ଥିତ ସୁନୟନା ମେଟାଲ ଇଣ୍ଡଷ୍ଟ୍ରିଜ୍‌ ଲିମି‌ଟେଡ୍‌ରେ ୧୧ ଲକ୍ଷ ୩୬ ହଜାର ୧୫୪ ଟଙ୍କା ବାକି ପଡିଛି। ବିଭାଗ ତଥ୍ୟ ଦେଉଛି ଯେଉଁମାନଙ୍କ ଉପରେ ବିଜୁଳି ବିଲ୍‌ ବାକି ପଡୁଛି, ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯାଉଛି। ତେବେ ୧୭ଟି ଶିଳ୍ପ ସଂସ୍ଥାରେ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ବାକି ପଡିଥିଲାବେଳେ କାହିଁକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ‌ ହେଉନି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଡିଭିଜନ୍‌ ଅଧୀନରେ ବୃହତ ଶିଳ୍ପ ସଂସ୍ଥା ସମେତ ଡିବିଡବ୍ଲ୍ୟୁ/ଓଏଆଇି ମୋଟ ୩୧୧୬ ସଂସ୍ଥାକୁ ବିଜୁଳି ସଂଯୋଗ ଦିଆଯାଯାଇଛି। ମାସକୁ ପ୍ରାୟ ୬ କୋଟି ୬୦ ଲକ୍ଷ ଟଙ୍କା ବିଜୁଳି ବିଲିଂ ହୋଇଥାଏ। ପାଖାପାଖି ୬୦% ଉପଭୋକ୍ତା ବିଜୁଳି ବିଲ୍‌ ପୈଠ କରୁଥିବାବେଳେ ଅବିଷ୍ଟ ୪୦% ବିଜୁଳି ବିଲ୍‌ ବାକି ପଡିଥାଏ।