ସୁନ୍ଦରଗଡ଼: ଅଜଣା ଗାଡି ଧକ୍କାରେ ଦୁଇ ଭାଇ ମୃତ, କୋଇଡା ଅଂଚଳରେ ବଢ଼ୁଛି ରାସ୍ତା ଦୁର୍ଘଟଣା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବାଲିଜୋଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଭାଇ ହେଲେ କାଦଢ଼ିଆ ଗ୍ରାମର ଅରୁଣ ମାଝୀ(୨୦) ଓ ଅଜୟ ମାଝୀ(୧୯)।

ସୂଚନା ମୁତାବକ ଦୁଇ ଭାଇ କୌଣସି ଏକ କାର୍ଯ୍ୟରେ ଓଡ଼ି୦୯ଏସ ୭୭୦୬ ବାଇକ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିବା ବେଳେ ବାଲିଜୋଡି ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ଅଜୟଙ୍କର କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଛି । ଘଟଣାସ୍ଥଳରେ ଗ୍ରାମର କିଛି ଯୁବକ ପହଁଞ୍ଚି ପ୍ରଥମେ କୋଇଡା ଥାନାକୁ ଖବର ଦେବା ସହିତ ଦୁଇ ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ।

ଏପଟେ ଗୋଟିଏ ମାସ ମଧ୍ୟରେ ସଡକ ଦୁର୍ଘଟଣାରେ କେବଳ କୋଇଡା ଅଞ୍ଚଳରେ ୮ ଜଣଙ୍କ ମୃତ୍ୟ ହୋଇଛି। ଅନ୍ୟପଟେ ବାରମ୍ବାର ସଡ଼କ ଦୁର୍ଘଟଣାରେ ନିରୀହ ଲୋକଙ୍କ ଜୀବନ ଯାଉଥିବାରୁ ଟ୍ରାଫିକ ବ୍ୟବସ୍ଥା ଉପରେ ସାଧାରଣ ଲୋକେ ଆଙ୍ଗୁଠି ଉଠାଇଛନ୍ତି । ଏହାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ରାସ୍ତା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥ‌ନୀୟ ଲୋକେ।

ସମ୍ବନ୍ଧିତ ଖବର