କୋଭିଡ୍‌ ହସ୍ପିଟାଲରେ ପୁଣି ୨ ରୋଗୀ ମୃତ, ଜିଲ୍ଲାରେ ମୃତକ ସଂଖ୍ୟା ୩ ‌ହେଲା

ସମ୍ବଲପୁର: ବୁଧବାର ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ପରିସରରେ ପୁଣି ୨ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ହୋଇଥିବା ସମୟରେ ଉଭୟ ୭୦ ବର୍ଷରୁ ଉର୍ଦ୍ଧ୍ବ ‌ବୋଲି ଜଣାପଡ଼ିଛି। ତେବେ ଉଭୟଙ୍କର ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଘାଟଠାରେ ସେମାନଙ୍କର ଅନ୍ତ୍ୟେଷ୍ଟ୍ରିକ୍ରିୟା କରାଯାଇଛି। ପୂର୍ବରୁ କୋଭିଡ୍‌ ହସ୍ପିଟାଲରେ ସୁନ୍ଦରଗଡ଼ ଜିଲ୍ଲାର ଓ ଜଣେ କଳାହାଣ୍ଡି ଜିଲ୍ଲାର ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

ସେପଟେ, ବୁଧବାରର ଘଟଣାକୁ ମିଶାଇ କେବଳ ସମ୍ବଲପୁର ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। କୁଚିଣ୍ଡାର ଜଣେ ବୃଦ୍ଧ(୬୭) ପଜିଟିଭ୍‌ ଚିହ୍ନଟ ହୋଇଥିବା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଜୁଲାଇ ୩୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ମୃତ୍ୟୁ ଘଟିଥିବା ୨ ଜଣଙ୍କ ମଧ୍ୟରେ ଜଣେ ହୀରାକୁଦର ବୃଦ୍ଧା(୭୦) ରହିଥିବା ସମୟରେ ସେ ୫ ଦିନ ତଳେ ଭିମ୍‌ସାରରୁ ସ୍ଥାନାନ୍ତର ହୋଇ କୋଭିଡ୍‌ ହସ୍ପିଟାଲକୁ ଆସିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା ଓ ବୁଧବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାବାଦ୍‌ ଏସ୍‌ଏମ୍‌ସି ଅନ୍ତର୍ଗତ ପଟ୍ଟନାୟକ ପଡ଼ାର ଜଣେ ବୃଦ୍ଧ(୭୨) ୨ ଦିନ ତଳେ ଭିମ୍‌ସାରରୁ ରେଫର ହୋଇ କୋଭିଡ୍‌ ହସ୍ପିଟାଲକୁ ଆସିଥି‌ଲେ। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର