ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ପାନପୋଷ ରେଞ୍ଜରେ ଦୁଇ ​ଗୋଠଛଡ଼ା ଦନ୍ତାହାତୀଙ୍କ ଉପଦ୍ରବ ଜାରି ରହିଛି। ଉଜାଡ଼ୁଛନ୍ତି ଚାଷୀଙ୍କ ଧାନ କ୍ଷେତ୍ର ଓ ପନିପରିବା ଫସଲ। ମାଟିରେ ମିଶାଉଛନ୍ତି ଘର। ପ୍ରାୟ ୩ ମାସ ଧରି ଦୁଇ ଗୋଠଛଡ଼ା ଦନ୍ତାହାତୀଙ୍କ ଏଭଳି ଉପଦ୍ରବ ଯୋଗୁ ବଣାଇ ଓ ପାନପୋଷ ରେଞ୍ଜର ଅଧିକାଂଶ ପରିବାର ପିଲାଛୁଆଙ୍କୁ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଗତକାଲି ଦୁଇ ଦନ୍ତାହାତୀ ବଣାଇ ସହରରେ ପଶି ଭଙ୍ଗାରୁଜା କରିଥିଲେ। ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ସହରରେ ତାଣ୍ଡବ ରଚିଥିଲେ। ଦୁଇ ଦନ୍ତାହାତୀଙ୍କୁ ଘଉଡ଼ାଇବାକୁ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଅଘଟଣ ରୋକିବାକୁ ବଣାଇ ସହରରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

Advertisment

୫ ଘଣ୍ଟାରୁ ଅଧିକ ସମୟ ଧରି ବଣାଇ ସହର ଅନ୍ଧାରରେ ରହିଥିଲା। ଅଧିକାଂଶ ଲୋକଙ୍କୁ ରାତିତମାମ ଉଜାଗର ରହିବାକୁ ପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ବଣାଇ ସହରରେ ବ୍ୟାପକ ପୁଲିସ ଓ ବନବିଭାଗ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୁଇ ଦନ୍ତାହାତୀ ସହର ନ ଛାଡ଼ିବାରୁ ସ୍ଥାନୀୟ ଲୋକ ନିଆଁ ହୁଳା ଧରି ଘୋଉଡ଼ାଇଥିଲେ। ଶେଷରେ ଦୁଇ ଦନ୍ତା ବ୍ରାହ୍ମଣୀ ନଦୀ ପାର୍ଶ୍ବ ଦେଇ ଜାତୀୟ ରାଜପଥ ନିକଟ ବ୍ରାହ୍ମଣୀ ନର୍ସରୀ ଆଡ଼କୁ ଚାଲିଯାଇଥିଲେ। ଗତକାଲି ରାତି ନୁହେଁ ଗତ ତିନି ମାସ ଧରି ଦୁଇ ଗୋଠଛଡ଼ା ଦନ୍ତାହାତୀ ବଣାଇ, ତାମଡ଼ା ଓ ପାନପୋଷ ରେଞ୍ଜ ଛାଡୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଦୁଇ ଦନ୍ତାହାତୀକୁ ବଣାଇ, ତାମଡ଼ା ରେଞ୍ଜର ବାହାକୁ ତଡ଼ିଦେବାକୁ ସ୍ଥାନୀୟ ଲୋକ ଦାବି କରିଆସୁଛନ୍ତି। ପ୍ରତିବାଦରେ ରାସ୍ତାରୋକ କରିବା ସହ ବନ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ଅତିରିକ୍ତ ବନ୍ୟ ସଂରକ୍ଷକଙ୍କୁ ମଧ୍ୟ ଘେରାଉ ରଖିଥିଲେ। ବଣାଇ ଓ ରାଉରକେଲା ବନଖଣ୍ଡ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଉଦାସୀନତାରୁ ମାସ ମାସ ଧରି ତିନି ରେଞ୍ଜ ଅନ୍ତର୍ଗତ ଉପାନ୍ତ ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାର ଭୟଭୀତ ଜୀବନ ଅତିବାହିତ କରୁଛନ୍ତି।