ସ୍ପଞ୍ଜ କାରଖାନାର ଦୁଇ କର୍ମଚାରୀଙ୍କୁ ଛୁରା ମାଡ, ୨ ଅଟକ

ରାଉରକେଲା : ଗତକାଲି ରାତିରେ ଘରକୁ ଫେରୁଥିବା ସ୍ପଞ୍ଜ କାରଖାନାର ଦୁଇ କର୍ମଚାରୀଙ୍କୁ ଛୁରାମାଡ଼ ହୋଇଛି l ଛୁରା ମାଡରେ ମୁକେଶ କୁମାର ସିଂହ ଗୁରୁତର ହୋଇଛନ୍ତି l ତାଙ୍କୁ ପ୍ରଥମେ ଆରଜିଏଚ ଓ ପରେ ଆଇଜିଏଚରେ ଭର୍ତ୍ତି କରାଯାଇଛି l ଅନ୍ୟ ଜଣେ କର୍ମଚାରୀ ନରେଶ କୁମାର ମହାରଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି l ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି l

ରଘୁନାଥପାଲି ପୁଲିସ ଏହି ଘଟଣାରେ ଦୁଇ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି l ମିଳିଥିବା ସୂଚନା ମୁତାବକ ସାରନଗରୀ ରଙ୍ଗିଲା ଛକର ମୁକେଶ, ବାଲୁଘାଟବସ୍ତିର ନରେଶ କଲୁଙ୍ଗାସ୍ଥିତ ମହାବୀର ସ୍ପଞ୍ଜ କାରଖାନାରେ କାମ କରନ୍ତି l ଗତକାଲି ବି ସିଫ୍ଟ କାମ ସରିବା ପରେ ଦୁହେଁ ମୋଟର ବାଇକରେ ଘରକୁ ଫେରୁଥିଲେ l ରାତି ପ୍ରାୟ ସାଢେ ଦଶଟାରେ ପାନପୋଷ ବାଲୁ ଘାଟ ବିଏନଆର ବ୍ରିଜ ନିକଟ ଜାତୀୟ ରାଜପଥରେ ୧୦ ରୁ ୧୫ ଜଣ ଯୁବକ ଛୁରି, ଖଣ୍ଡା ଆଦି ମରଣାସ୍ତ୍ର ଧରି ମୁକେଶ ଓ ନରେଶଙ୍କୁ ଅଟକାଇ ଟଙ୍କା ମାଗିଥିଲେ l ଦୁହେଁ ପ୍ରତିବାଦ କରିବାରୁ ଆସାମାଜିକ ଯୁବକମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ l ଆହତ ଅବସ୍ଥାରେ ନରେଶ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ l ଆସାମାଜିକ ଯୁବକ ମଧ୍ୟରୁ ଜଣେ ମୁକେଶଙ୍କ ପେଟରେ ଛୁରି ଭୁଷି ଦେବାରୁ ସେ ଗୁରୁତର ହୋଇ ତଳେ ପଡିଯାଇଥିଲେ l ପୁଲିସ ସୂଚନା ପାଇ ଘଟଣାସ୍ଥଳରୁ ମୁକେଶକୁ ଉଦ୍ଧାର କରି ଆରଜିଏଚ ପଠାଇଥିଲେ l

ସମ୍ବନ୍ଧିତ ଖବର