ରାଉରକେଲା: ରାଉରକେଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଗତ ଜାନୁଆରି ମାସରେ ଅନ୍ତଃରାଷ୍ଟ୍ରୀୟ ସାଇବର ଠକ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଅଭଯୁକ୍ତ ଦ୍ବୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିଶ କୁରାପତି ଓରଫ୍ ହ୍ୟାରୀ ଓ ସୋଜନ୍ୟା କୁରାପତି ଓରଫ୍ ଲିସା।
Advertisment
ଗତ ଡିସେମ୍ବର ମାସରେ ଜଣେ ବରିଷ୍ଠ କେନ୍ଦ୍ର ସରକାରଙ୍କ କର୍ମଚାରୀ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ। ଏନେଇ ସେ ଡିସେମ୍ବର ୩୦ ତାରିଖରେ ରାଉରକେଲା ସାଇବର ଥାନାରେ ଏତଲା ଦେବାପରେ ପୁଲିସ ଛାନ୍ଭିନ ଆରମ୍ଭ କରିଥିଲା। ସାଇବର ଠକ ଦଳ କମ୍ବୋଡିଆରୁ ରହି ରୢାକେଟ୍ ପରିଚାଳନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ମୁଖ୍ୟ କିଙ୍ଗ୍ପିନ ରହୁଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଗ୍ୟାଙ୍ଗ୍ର ସଦସ୍ୟ ବେଶ୍ ସକ୍ରିୟ ଥିଲେ। ଏହି ମାମଲାରେ ମୋଟ ୧୬ ଜଣ ସଂପୃକ୍ତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପରେ ୮ ଜଣଙ୍କୁ ଗିରଫ କରିଥିବାବେଳେ ଅବଶିଷ୍ଟ ସାଇବର ଠକଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା।
ଦୁଇ ଦିନ ପୂର୍ବେ ଦୁଇ ଅଭିଯୁକ୍ତ ହ୍ୟାରୀ ଓ ଲିସା କମ୍ବୋଡିଆରୁ ଭାରତକୁ ଫେରିଥିଲେ। ସେମାନେ ହାଇଦ୍ରାବାଦ ବିମାନବନ୍ଦରରେ ଓହ୍ଲାଇବାପରେ ଇମିଗ୍ରେସନ ବିଭାଗ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଗ୍ୟାଙ୍ଗ୍ ଓଡ଼ିଶା ସମେତ ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧପ୍ରଦେଶ, ଗୁଜୁରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ଶତାଧିକ ଲୋକଙ୍କୁ ଠକିଛନ୍ତି। ଏହି ଗ୍ୟାଙ୍ଗ୍ ୨ ଶହରୁ ଅଧିକ ଲୋକଙ୍କଠାରୁ ଡେଟିଂ ଆପ୍ ମାଧ୍ୟମରେ ଯୋଗାଯୋଗ କରି କ୍ରିପ୍ଟୋକରେନ୍ସି, ଷ୍ଟକ୍ମାର୍କେଟ୍ ଅର୍ଥ ନିବେଶ ଆଦି ଆଳରେ ଠକିନେଇଛନ୍ତି।