ସୁନ୍ଦରଗଡ଼: ଧରୁଆଡିହି ଥାନା ଅଞ୍ଚଳର ବାପାମା ଛେଉଣ୍ଡ ନାବାଳିକା ଚାଲାଣ ମାମଲାରେ ୨୬ ଦିନ ପରେ ବି ପୁଲିସ ଅଭିଯୁକ୍ତ ବିରବିରାର ମହିଳା ସରପଞ୍ଚ ଦଳରସା ଗୁଡ଼ିଆ ସହ ଅହମଦାବାଦର ବିନୟ ପଟେଲ ଓ ତାଙ୍କ ସ୍ତ୍ରୀ ସୁନିତାଙ୍କୁ ଗିରଫ କରିନାହିଁ। କୁହାଯାଉଛି ଗିରଫଦାରି ପାଇଁ ପୁଲିସ ଠୋସ ପ୍ରମାଣ ଖୋଜୁଛି। ଝିଅ ଚାଲାଣ ପରି ଅତି ସମ୍ବେଦନଶୀଳ ମାମଲାରେ ପୁଲିସର ଏପରି ଆଭିମୁଖ୍ୟ ଚର୍ଚ୍ଚାରେ ଥିବାବେଳେ ସୁନ୍ଦରଗଡ଼ ସହରରୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ମହେଶଡିହିର ୨ ଜଣ ଯୁବତୀଙ୍କୁ ଅଧିକ ରୋଜଗାରର ଲୋଭ ଦେଖାଇ ଅନ୍ୟ ଜଣେ ଯୁବତୀ ଦିଲ୍ଲୀ ନେଇଥିବା ଏବଂ ଏବେ ସେଠାରେ ସେମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ପୀଡ଼ିତାଙ୍କ ମା’ ଟାଉନଥାନାରେ ଏତଲା ଦେଇଛନ୍ତି। ଏ ନେଇ ପୁଲିସ ଗତ ୨୯ ତାରିଖରେ ଭାରତୀୟ ଦଣ୍ଡବିଧି ଧାରା ୩୪୨, ୩୬୫ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ଝିଅମାନଙ୍କୁ ବିକ୍ରି ଅଥବା ବନ୍ଦୀ କରି ରଖାଯାଇଛି ବୋଲି ମା’ ଅଭିଯୋଗ କରିଛି। ପୀଡ଼ିତାଙ୍କ ମା’ ଦେଇଥିବା ଏତଲା ଅନୁସାରେ, କିଛି ମାସ ତଳେ ତାଙ୍କ ଦୁଇ ଝିଅ ସୁନ୍ଦରଗଡ଼ର ଏକ ହୁଣ୍ଡା ସୋରୁମରେ କାମ କରୁଥିଲେ। ସେଠାରେ ଅନ୍ୟ ଜଣେ ଯୁବତୀଙ୍କ ସହ ସେମାନଙ୍କ ଚିହ୍ନା ପରିଚୟ ହୋଇଥିଲା। ସେ ବାହାର ରାଜ୍ୟରେ ଭଲ କାମ ଓ ଅଧିକ ରୋଜଗାର ମିଳିବ କହି ବିଶ୍ବାସ ଜନ୍ମାଇଥିଲା। ଏପରିକି ଏକ ସଂସ୍ଥାର ମାଲିକ ସହ ସେ କଥା ହୋଇଥିବା କହିଥିଲା। ଅଧିକ ରୋଜଗାର ଲୋଭରେ ଦୁଇ ଝିଅ ସେ ଯୁବତୀଙ୍କ କଥାରେ ରାଜି ହୋଇଥିଲେ। ମା’ଙ୍କୁ ବି ଏକଥା ଜଣାଇଥିଲେ। ଏହା ପରେ ଦିନେ ସେମାନଙ୍କୁ ଯୁବତୀ ଦିଲ୍ଲୀ ନେଇ ଯାଇଥିଲା। ଯିବା ପରେ ପରେ ଦୁଇ ଝିଅ ମା’ ସହ ଫୋନରେ ନିୟମିତ କଥାବର୍ତ୍ତା କରୁଥିଲେ ମଧ୍ୟ କିଛି ଦିନଠାରୁ ସେମାନଙ୍କ ମୋବାଇଲ୍ ଆଉ ଲାଗି ନଥିଲା। ବ୍ୟସ୍ତ ହୋଇପଡ଼ିଥିଲେ ମା’। ଠିକ୍ ଏହି ସମୟରେ ୪ ଦିନ ତଳେ ସାନ ଝିଅ ମା’ଙ୍କୁ କୌଣସି ଏକ ଫୋନରୁ କଲ୍ କରି ସେମାନଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଥିବାରୁ ତୁରନ୍ତ ଉଦ୍ଧାର କରି ନେଇଯିବାକୁ ବ୍ୟସ୍ତ ବିବ୍ରତ ହୋଇ କହିଥିଲେ। ସମ୍ପୃକ୍ତ ଯୁବତୀ ସେମାନଙ୍କୁ ଠକିଥିବା, କୌଣସି ସଂସ୍ଥା ନୁହେଁ, ଏକ ଘରୋଇ କାମରେ ନିୟୋଜିତ କରିଥିବା ସେ ସୂଚନା ଦେଇ କଲ୍ କାଟି ଦେଇଥିଲେ। ଏହା ପରେ ବିଚଳିତ ମା’ ଗତ ୨୯ ତାରିଖରେ ଟାଉନଥାନାରେ ଏତଲା ଦେଇ ଦୁଇ ଝିଅଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ପୁଲିସ ଝିଅଙ୍କୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏ ଦୁଇ ଅଭିଯୋଗ ପରେ ଜିଲ୍ଲାରେ ପୂର୍ବ ପରି ଝିଅ ଚାଲାଣ ରାକେଟ ପୁଣି ସକ୍ରିୟ ହୋଇପଡ଼ିଥିବା, ଗରିବ ଓ ଅସହାୟ ଝିଅମାନଙ୍କୁ ଟାର୍ଗେଟ କରି ବାହାରକୁ ଚାଲାଣ କରୁଥିବା ଆଲୋଚନା ହେଉଛି। ପୁଲିସ ଏସବୁ ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ପୁଣି ଦୁଇ ଯୁବତୀ ଦିଲ୍ଲୀରେ ଗୃହବନ୍ଦୀ! ଅଧିକ ରୋଜଗାରର ଲୋଭ ଦେଖାଇ ନେଇଛି ଅନ୍ୟ ଜଣେ ଯୁବତୀ
/sambad/media/post_attachments/wp-content/uploads/2023/09/ddc81361-22ce-4e8a-8565-637587a7794d.jpeg)