ରାଉରକେଲା: ଆଜି ରାତି ୮ଟାରେ ବିଶ୍ରା ଥାନା ସୋରଡ଼ା ବାରିଲେପ୍‌ଟା ଛକରେ ୪ ଜଣ ଦୁର୍ବୃତ୍ତ ପିସ୍ତଲ ଦେଖାଇ ଷ୍ଟେଟ ବ୍ୟାଙ୍କର ଟଙ୍କା ନେଇ ଯାଉଥିବା କ୍ୟାସ୍‌ଭ୍ୟାନ୍‌ରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବିଶ୍ରା ଥାନାଧିକାରୀଙ୍କ ସୂଚନା ଅନୁଯାୟୀ ରାଉରକେଲାରୁ ୫ ଜଣ କର୍ମଚାରୀ କ୍ୟାସଭ୍ୟାନରେ ଟଙ୍କା ଧରି ସୋରଡ଼ା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିଲେ। ବାରିଲେପଟା ଛକ ନିକଟରେ ଦୁଇଟି ବାଇକରେ ୪ ଜଣ ଯୁବକ କ୍ୟାସଭ୍ୟାନ ଅତିକ୍ରମ କରି ଆଗରେ ଅଟକାଇ ଥିଲେ। ଏହାପରେ ପିସ୍ତଲ ଓ ଭୁଜାଲି ଦେଖାଇ ସେମାନେ ଗାଡ଼ିରେ ଥିବା କର୍ମଚାରୀଙ୍କୁ ବାହାର କରିଥିଲେ। ତା ପରେ ଦୁଇ ଜଣ ଯୁବକ ଗାଡ଼ି ଭିତରେ ପଶି ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ। ଖବର ପାଇବା ପରେ ପୁଲିସ କ୍ୟାସଭ୍ୟାନକୁ ବିଶ୍ରା ଥାନାକୁ ଆଣି ଗାଡ଼ିରେ ଥିବା କର୍ମଚାରୀମାନଙ୍କୁ ପଚରା ଉଚରା କରୁଛି। ଏହାଛଡ଼ା ଝାରଖଣ୍ଡ ସୀମା ସିଲ୍‌ କରି ରାଉରକେଲା ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି।